ସାକ୍ଷୀ ପ୍ରମାଣ ଅଭାବରୁ ବହୁ ଚର୍ଚ୍ଚିତ ଚୁନା ହତ୍ୟାକାଣ୍ଡ ମାମଲାର ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ମିଳିଲାନି ସାକ୍ଷୀ ପ୍ରମାଣ | ନିର୍ଦୋଶରେ ଖଲାସ ହେଲେ ଅଭିଯୁକ୍ତ | ବହୁ ଚର୍ଚ୍ଚିତ ଚୁନା ଓରଫ ମାଲିକ ହନନ୍ ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିଷ୍ପତି ଶୁଣାଇଛନ୍ତି | ସମସ୍ତ ୬ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଭୁବନେଶ୍ବର ସେସନ୍ସ ଜଜ୍ ଙ୍କ ଦ୍ବାରା ଚୁନା ହତ୍ୟାକାଣ୍ଡରେ ଏହି ୬ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିଲେ । ନିର୍ଦ୍ଦୋଷରେ ଖଲାସ ହୋଇଥିବା ଅଭିଯୁକ୍ତମାନେ ହେଲେ ସେକ୍ ହାଇଦରର ସହଯୋଗୀ ଅବଦୁଲ ନଇମ ଖାନ୍, ସେକ୍ ରୋମାନ, ମୀର ଅସ୍କର, ଶିବ ପ୍ରସାଦ ମହାନ୍ତି, ସୁଦାମ ସୁନ୍ଦର ଶତପଥୀ ଓ ନାସିରୁଦ୍ଦିନ ଅହମ୍ମଦ ।

ସାକ୍ଷୀ ପ୍ରମାଣ ଅଭାବରୁ ହାଇକୋର୍ଟ ଏମାନଙ୍କୁ ନିର୍ଦ୍ଦୋ‌ଷରେ ଖଲାସ କରିଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ.ମୁରଲୀଧର ଓ ଜଷ୍ଟିସ୍ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଭୁବନେଶ୍ବର ଅତିରିକ୍ତ ଦୌରା ଜଜ୍ ଅଦାଲତଙ୍କ ୨୦୧୧, ମାର୍ଚ୍ଚ ୧୬ର ଦଣ୍ଡାଦେଶ ରାୟକୁ ରଦ୍ଦ କରିଛନ୍ତି ।

ସୂଚନାଯୋଗ୍ୟ , ୨୦୦୫ ମେ ୩୧ରେ ଭୁବନେଶ୍ବର ଷ୍ଟୁୱାର୍ଟ ସ୍କୁଲ ନିକଟରେ ଚୁନାକୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ନାଗପୁରରୁ ସେକ୍ ହାଇଦର ଓ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ୨୦୦୬ ମସିହା ଜୁନ୍ ୬ରେ ଗିରଫ କରିଥିଲା । ଭୁବନେଶ୍ବର ଅତିରିକ୍ତ ଦୌରା ଜଜ୍ ଅଦାଲତ ୨୦୧୧ ମାର୍ଚ୍ଚ ୧୬ରେ ରାୟ ପ୍ରକାଶ କରି ହାଇଦର ସହିତ ଏହି ୬ଜଣ ଅଭିଯୁକ୍ତଙ୍କୁ ଚୁନା ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ ।

Related Posts