କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ କୁ ନେଇ ଏବେ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି | ଆମେରିକାରୁ ୟୁରୋପ ମହାଦେଶ ସବୁବେଳେ ଭୟର ବାତାବରଣ | ସଂକ୍ରମଣ ହାର ଦ୍ରୁତ ଗତିରେ ମାଡିଚାଲୁଥିବା ବେଳେ, ଆମେରିକାରେ ଦୈନିକ ସଂକ୍ରମଣ ପାଖାପାଖି ୫ ଲକ୍ଷ ଟପିଛି । ୟୁରୋପ ମହାଦେଶର ଅନେକ ଦେଶରେ କରୋନା ବିସ୍ଫୋରଣ ସୃଷ୍ଟି କରିଛି ।
ଏଭଳି ସ୍ଥିତିରେ ସାରା ବିଶ୍ୱକୁ କଡ଼ା ଚେତାବନୀ ଶୁଣାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଭୟାବହ ସ୍ଥିତି ନେଇ ସଜାଗ ରହିବାକୁ କହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ୍ ଗେବ୍ରିୟସସ୍ କହିଛନ୍ତି, କରୋନାର ଆଗାମୀ ସୁନାମୀରେ ହୁଏତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ଯାଇପାରେ । ଓମିକ୍ରନର ସଂକ୍ରମଣ ଦ୍ରୁତ ବ୍ୟାପୁଛି । ଡେଲଟାଠାରୁ କମ୍ ଘାତକ ହୋଇଥିଲେ ବି ତାଠୁ ଢେର ଅଧିକ ସଂକ୍ରାମକ । ଡେଲଟା ସହ ମିଶି ଓମିକ୍ରନ୍ ସୁନାମୀ ରୂପ ନେଇପାରେ । ଏଭଳି ହେଲେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ପ୍ରବଳ ଚାପ ପଡ଼ିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ କହିଛନ୍ତି ।
ଗତକାଲି ଦିନକରେ ସାରା ବିଶ୍ୱରୁ ୧୦ ଲକ୍ଷରୁ ଅଧିକ କେସ୍ ବାହାରିଥିଲା । ଡେଲଟା ଓ ଓମିକ୍ରନ୍ ଭାରିଆଣ୍ଟ ଯୋଗୁ ସଂକ୍ରମଣ ରେକର୍ଡ ସ୍ତର ପାର କରୁଛି । ହସ୍ପିଟାଲାଇଜେସନ୍ ଓ ମୃତ୍ୟୁହାର ବଢିବାରେ ଲାଗିଲାଣି ।
