ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା | ଅନନ୍ତନାଗ ଓ କୁଲଗାମ ଜିଲ୍ଲାରେ ଏନକାଉଣ୍ଟରରେ ୬ ଆତଙ୍କୀ ନିହତ ହୋଇଛନ୍ତି । ଦୁଇଟି ପୃଥକ ପୃଥକ ସ୍ଥାନରେ ଏନକାଉଣ୍ଟର ହୋଇଛି । ତେବେ ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୪ ଜଣଙ୍କର ପରିଚୟ ମିଳି ପାରିଥିବା ବେଳେ, ଅନ୍ୟ ୨ ଜଣଙ୍କ ପରିଚୟ ଏଯାବତ ମିଳିନଥିବା କାଶ୍ମୀର ଆଇଜି କହିଛନ୍ତି ।
ସମସ୍ତ ନିହତ ଆତଙ୍କବାଦୀ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ସଦସ୍ୟ ଥିଲେ । ସେମାନଙ୍କ ଭିତରେ ଦୁଇ ଜଣ ପାକିସ୍ତାନୀ ଆତଙ୍କବାଦୀ ଅଛନ୍ତି । ଅନନ୍ତନାଗ ଜିଲ୍ଲାର ନାଓଗାମ ଶାହବାଦରେ ପ୍ରଥମେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଏଥିରେ ୩ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଛନ୍ତି ସୁରକ୍ଷାକର୍ମୀ । ଜଣେ ପୋଲିସ ଆହତ ହୋଇଛନ୍ତି ।
ପରେ କୁଲଗାମ ଜିଲ୍ଲାର ମିରହାମାରେ ଏନକାଉଣ୍ଟର ହୋଇଥିଲା । ଯେଉଁଥିରେ ପୋଲିସ ଗୁଳିରେ ଟଳିଥିଲେ ୩ ଜଣ ଆତଙ୍କବାଦୀ । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
