ନବରଙ୍ଗପୁର(ସତ୍ୟପାଠବ୍ୟୁରୋ): ଖରିଫ ଚାଷ ଆରମ୍ଭ ହେଉ ନହେଉଣୁ ସାରର କଳା ବଜାରୀ ହେଉଥିବା ଅଭିଯୋଗ ହେଉଛି। ସାରର କଳାବଜାରୀ ଏବଂ ଅସାଧୁ ବ୍ୟବସାୟୀଙ୍କ ଶୋଷଣ ପ୍ରତିବାଦରେ ରାଇଘରରେ କୃଷକଙ୍କ ବିକ୍ଷୋଭ ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୃଷକ ସଂଘର ଆହ୍ୱାନରେ ଶତାଧିକ ଚାଷୀ କୃଷି କାର୍ଯ୍ୟାଳୟ ଘେରାଉ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ସାର ବଣ୍ଟନରେ ଅନିୟମିତତା, କୃତ୍ରିମ ଅଭାବ ସୃଷ୍ଟି କରି ଅଧିକ ଦାମରେ ସାର ବିକ୍ରି ଏବଂ ଚାଷୀଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ଉଠାଇଛି କୃଷକ ସଂଘ । ଏହି ସମସ୍ୟାର ତୁରନ୍ତ ସମାଧାନ ଦାବି କରି କୃଷକ ପ୍ରତିନିଧିମାନେ ରାଇଘର ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସାରର କଳାବଜାରୀ ରୋକିବା, ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ଚାଷୀଙ୍କୁ ସୁଲଭ ମୂଲ୍ୟରେ ପର୍ଯ୍ୟାପ୍ତ ସାର ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କୃଷକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।