ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ) : ଫ୍ଲାଇଦୁବାଇ ବିମାନରେ କୋ-ପାଇଲଟଙ୍କ ଆକ୍ରମଣରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ ସ୍ମିତ ମଚ୍ଛାରଙ୍କୁ ନେଇ ଆସିଛି ଆଶ୍ୱସ୍ତିକର ଖବର । ଧୀରେ ଧୀରେ ସୁଧୁରୁଛି ତାଙ୍କ ସ୍ୱାସ୍ଥ୍ୟାବସ୍ଥା । ଆବୁଧାବିର ଏକ ହସ୍ପିଟାଲରେ ଅପରେସନ୍ ପରେ ଏବେ ସେ ସୁସ୍ଥ ହେଉଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏମଇଏ ପ୍ରବକ୍ତା ରଣଧୀର ଜୟସୱାଲ କହିଛନ୍ତି, କ୍ୟାପ୍ଟେନ ସ୍ମିତ ମଛାର ଏବେ ଆବୁଧାବିର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୟୁଏଇରେ ଥିବା ଭାରତୀୟ ଦୂତାବାସ ତାଙ୍କ ପରିବାର, ଡାକ୍ତର, ହସ୍ପିଟାଲ ଏବଂ ସ୍ଥାନୀୟ ଅଧିକାରୀଙ୍କ ସହ ନିୟମିତ ଯୋଗାଯୋଗରେ ରହିଛି। ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ନିୟମିତ ଭାବେ ତଥ୍ୟ ନିଆଯାଉଛି । ଗୁଜରାଟର ବାସିନ୍ଦା ବୋଲି ଜଣାପଡ଼ିଥିବା କ୍ୟାପ୍ଟେନ ସ୍ମିତ ମଛାରଙ୍କର ବିମାନ ଚାଳନା କ୍ଷେତ୍ରରେ ରହିଛି ଦୀର୍ଘ ଅଭିଜ୍ଞତା । ୨୦୧୧ରେ ସ୍ପାଇସଜେଟ୍ରେ ଯୋଗ ଦେଇଥିବା ସ୍ମିତ ପାଇଲଟ୍ ଭାବେ କାମ କରିବା ସହ ପ୍ରଶିକ୍ଷଣ ସମ୍ପର୍କିତ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ବୋଇଂ ୭୩୭ ବିମାନ ଉଡ଼ାଇବାର ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି ।
