ଭୁବନେଶ୍ବର(ସତ୍ୟପାଠବ୍ୟୁରୋ):  ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି । ବିଶେଷକରି ଯୁବବର୍ଗ, ଚାକିରି ଆଶାୟୀ, ଛାତ୍ରଛାତ୍ରୀ ଓ ପେନସନ୍‌ଧାରୀଙ୍କୁ ନେଇ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି ।

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଥିବା ସର୍ବାଧିକ ୬ ଥର ପରୀକ୍ଷା ଦେବାର ସୀମାକୁ ହଟାଇ ଦିଆଯାଇଛି। ଏଣିକି ଆଶାୟୀମାନେ ସର୍ବୋଚ୍ଚ ବୟସ ସୀମା ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ । ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ଅନୁକମ୍ପାମୂଳକ ନିଯୁକ୍ତି ନିୟମକୁ ମଧ୍ୟ କୋହଳ କରାଯାଇଛି । ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇବାକୁ ଘୋଷଣା ହୋଇଛି । ଯୁବବର୍ଗଙ୍କ ପାଇଁ ଆଗାମୀ ୨ରୁ ୩ ବର୍ଷରେ ୩ ଲକ୍ଷ ଏବଂ ୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି ।

ସେହିପରି ମଧୁବାବୁ ପେନସନ୍ ଯୋଜନାରେ ଆଉ ୭ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯିବ । ଦୁଇ ବର୍ଷରେ ୨୬ ହଜାର ଶିକ୍ଷକ ନିଯୁକ୍ତି ପରେ ଆଗାମୀ ଦିନରେ ଆଉ ୪୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।