ଭୁବନେଶ୍ୱର, (ସତ୍ୟପାଠବ୍ୟୁରୋ): ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଚାଲି ପାରୁ ନାହିଁ ବିଧାନସଭା। ଗୃହ ଆରମ୍ଭ ହେବା ମାତ୍ରେ ବିଭିନ୍ନ ସ୍ଲୋଗାନ ଦେଇ ପ୍ଲାକାର୍ଡ ଧରି ଅଚଳାବସ୍ଥା ସୃଷ୍ଟି କରୁଛନ୍ତି ବିରୋଧୀ ବିଧାୟକ। ଲଗାତାର ତୃତୀୟ ଦିନ ପାଇଁ ଚାଲିପାରି ନାହିଁ ବିଧାନସଭା। ଏମଏମଡିଆର ସଂଶୋଧନ ଆଇନ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ଆଜି ଗୃହରେ ଅଚଳାବସ୍ଥା ସୃଷ୍ଟି କରିଛନ୍ତି। ଫଳରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇପାରି ନାହିଁ । ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ମୁଲତବୀ ରଖିଛନ୍ତି । ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ନାରାବାଜି କରିଥିଲେ। ଖଣି ଆଇନ ରଦ୍ଦ ଦାବିରେ ସେମାନେ ଗୃହରେ ପୋଷ୍ଟର, ବ୍ୟାନର ପ୍ରଦର୍ଶନ କରିଥିଲେ । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଗୃହରେ ୨ଟି ତାରକା ପ୍ରଶ୍ନର ଉତ୍ତର ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରଖିଥିଲେ । ବିରୋଧୀ ସଦସ୍ୟଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ଉପ ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ। ଫଳରେ ଉପ ବାଚସ୍ପତି ଗୃହକୁ ମୁଲତବୀ ରଖିଛନ୍ତି । ଅନ୍ୟପକ୍ଷରେ, ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକମାନେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ଏମଏମଡିଆର ବିଲ୍‌ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରଖିବା ନେଇ କଂଗ୍ରେସ ବିଧାୟକମାନେ ଦାବି ଉଠାଇଥିଲେ। ବିଲ୍‌କୁ ନେଇ ବିଧାନସଭା ଭିତରେ ଓ ବାହାରେ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏହି ପ୍ରସଙ୍ଗରେ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ନଜର ରହିଛି।