ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ମିସନାରୀ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର ପାଲ୍ ସିଂ ଓରଫ୍ ଦାରା ସିଂ ଜେଲରୁ ମୁକ୍ତ ହେବାକୁ ଯାଉଛନ୍ତି । ପ୍ରାୟ ୨୬ ବର୍ଷ ଧରି ଜେଲ୍‌ ଦଣ୍ଡାଦେଶ ଭୋଗିବା ପରେ ସୁପ୍ରିମକୋର୍ଟ ତାଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ତାଙ୍କୁ ଜେଲରୁ ଛାଡ଼ିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ଦାରା ସିଂ ନିଜର ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଗତ ବର୍ଷ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ଦାରା ସିଂଙ୍କ ମୁକ୍ତି ଆବେଦନ ଉପରେ ବିଚାର କରି ନିଷ୍ପତ୍ତି ନେବାକୁ କହିଥିଲେ। ଏହା ପରେ ଓଡ଼ିଶା ଷ୍ଟେଟ୍‌ ସେଣ୍ଟେନ୍ସ ପ୍ରିଭ୍ୟୁ ବୋର୍ଡ ତାଙ୍କର ଆଚରଣ ଓ ଦୀର୍ଘ ଦିନର ଜେଲ୍ ଦଣ୍ଡକୁ ଆଧାର କରି ତାଙ୍କ ମୁକ୍ତି ପାଇଁ ଅନୁମତି ପ୍ରଦାନ କରିଥିଲେ। ଏହି ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ତାଙ୍କୁ ମୁକ୍ତ କରିବାକୁ ରାୟ ଦେଇଛନ୍ତି ।

୧୯୯୯ ମସିହା ଜାନୁଆରୀ ୨୨ ତାରିଖ ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ମନୋହରପୁର ଗାଁରେ ଅଷ୍ଟ୍ରେଲିଆର ମିସନାରୀ ଗ୍ରାହାମ ଷ୍ଟୁଆର୍ଟ ଷ୍ଟେନ୍ସ୍ ଏବଂ ତାଙ୍କର ଦୁଇ ନାବାଳକ ପୁତ୍ର ଫିଲିପ୍ ଓ ତିମୋଥିଙ୍କୁ ଜୀବନ୍ତ ଜଳାଇ ହତ୍ୟା କରାଯାଇଥିଲା। ଏହି ନାରକୀୟ କାଣ୍ଡ ପାଇଁ ଦାରା ସିଂଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ପ୍ରଥମେ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରାଯାଇଥିଲା ।

ଦାରା ସିଂ ପ୍ରାୟ ୨୬ ବର୍ଷ ଧରି ଜେଲ୍‌ରେ ବନ୍ଦୀ ଅଛନ୍ତି । ଏହି ମାମଲାରେ ସହ-ଦୋଷୀ ମହେନ୍ଦ୍ର ହେମ୍ବ୍ରମଙ୍କୁ ତାଙ୍କର ଉତ୍ତମ ଆଚରଣ ପାଇଁ ପୂର୍ବରୁ ଜେଲ୍‌ରୁ ମୁକ୍ତି ମିଳିସାରିଛି। ଏବେ ସେହି ସମାନ ଆଧାରରେ ଦାରା ସିଂ ମଧ୍ୟ ମୁକ୍ତ ହେବାକୁ ଯାଉଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ କରି ତାଙ୍କୁ ଜେଲରୁ ମୁକ୍ତ କରାଯିବ। ଦାରା ସିଂଙ୍କ ମୁକ୍ତି ଖବର ଏବେ ରାଜ୍ୟ ରାଜନୀତି ଓ ସାମାଜିକ କ୍ଷେତ୍ରରେ ଚର୍ଚ୍ଚାର ବିଷୟ ପାଲଟିଛି ।