ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରପାଳିକାର ଶାସକ ବିଜୁ ଜନତା ଦଳ ରାଜନୀତିରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଯାଇଛି। ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦଳର ସର୍ବୋଚ୍ଚ ନେତା ତଥା ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବେଲପାହାଡ଼ ପୌରପାଳିକାର ବରିଷ୍ଠ ନେତା ତଥା ୨୦୨୨ ପୌର ନିର୍ବାଚନର ଚେୟାରମ୍ୟାନ ପ୍ରାର୍ଥୀ ହିତେଶ ଠକ୍କରଙ୍କୁ ବିଜେଡିରୁ ତତ୍କାଳ ନିଲମ୍ବନ କରାଯାଇଛି। ଦଳର ସାଧାରଣ ସମ୍ପାଦକ ବିଜୟ ନାୟକଙ୍କ ସ୍ବାକ୍ଷରିତ ଏହି ନିଲମ୍ବନ ଆଦେଶ ପ୍ରକାଶ ପାଇବା ପରେ ଏହାର ପ୍ରତିବାଦରେ ବେଲପାହାଡ଼ ପୌରପାଳିକାର ଦୁଇ-ତୃତୀୟାଂଶରୁ ଅଧିକ ସଂଖ୍ୟାଗରିଷ୍ଠ ଅର୍ଥାତ୍ ୧୦ ଜଣ ନିର୍ବାଚିତ ବିଜେଡି କାଉନସିଲର ଏକାଠି ହୋଇ ଦଳର ପ୍ରାଥମିକ ସଦସ୍ୟ ପଦରୁ ସମୂହ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀ ଡାକି ହିତେଶ ଠକ୍କର ଓ ତାଙ୍କ ସମର୍ଥକ କାଉନସିଲରମାନେ ସ୍ଥାନୀୟ ଶୀର୍ଷ ନେତୃତ୍ୱ, ବ୍ରଜରାଜନଗରର ପୂର୍ବତନ ବିଧାୟିକା ଅଳକା ମହାନ୍ତି ଏବଂ ଦଳର କାର୍ଯ୍ୟପନ୍ଥା ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ନିଜର ପକ୍ଷ ରଖି ହିତେଶ ଠକ୍କର କହିଛନ୍ତି ଯେ, କୌଣସି ପ୍ରକାର ଆଲୋଚନା ନ କରି କେବଳ ସୋସିଆଲ ମିଡିଆରେ ଜାରି ଏକ ନିଲମ୍ବନ ଆଦେଶ ପତ୍ରରୁ ସେ ଦଳରୁ ବହିଷ୍କାର ହେବା କଥା ଜାଣିବାକୁ ପାଇଲେ। ସେ କେବେ ହେଲେ କୌଣସି ବିଜେପି, କଂଗ୍ରେସ କିମ୍ବା ଅନ୍ୟ ଦଳର ମିଟିଙ୍ଗକୁ ଯାଇନାହାନ୍ତି କି ଦଳ ବିରୋଧୀ କାର୍ଯ୍ୟ କରିନାହାନ୍ତି। ସ୍ୱର୍ଗତ ନବ ଦାସଙ୍କ ନେତୃତ୍ୱରେ ସେ ସବୁବେଳେ ଦଳ ପାଇଁ ନିଷ୍ଠାର ସହ କାମ କରିଛନ୍ତି ଏବଂ ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।
ବେଲପାହାଡ଼ ପୌରପାଳିକାରେ କଂଗ୍ରେସର ଦୁର୍ନୀତିଗ୍ରସ୍ତ ଚେୟାରମ୍ୟାନଙ୍କ ବିରୋଧରେ ସମସ୍ତ ବିଜେଡି କାଉନସିଲରଙ୍କୁ ଏକଜୁଟ୍ କରି ଅନାସ୍ଥା ପ୍ରସ୍ତାବ ଆଣିବା ଯଦି ଦଳ ବିରୋଧୀ କାର୍ଯ୍ୟ, ତେବେ ଏଭଳି କାର୍ଯ୍ୟ ସେ ବାରମ୍ବାର କରିବେ ବୋଲି ଶ୍ରୀ ଠକ୍କର ଚେତାବନୀ ଦେଇଛନ୍ତି। ସ୍ଥାନୀୟ ନେତୃତ୍ୱ କଂଗ୍ରେସ ସହ ଗୋପନ ବୁଝାମଣା କରି ତାଙ୍କୁ ଟାର୍ଗେଟ୍ କରୁଥିବା ସେ ଆଶଙ୍କା ପ୍ରକାଶ କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ମହିଳା କାଉନସିଲରମାନେ ବ୍ରଜରାଜନଗରର ପୂର୍ବତନ ବିଧାୟିକା ଅଳକା ମହାନ୍ତି ଓ ସଂଗଠନ ଦାୟିତ୍ୱରେ ଥିବା ନେତାଙ୍କ ଉପରେ ସିଧାସଳଖ ବାଣ ମାରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ନିକଟରେ ଦଳର ସର୍ବୋଚ୍ଚ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପାଇଁ ଭୁବନେଶ୍ୱର ଶଙ୍ଖ ଭବନରେ ଯେଉଁ କାର୍ଯ୍ୟକ୍ରମ ହୋଇଥିଲା, ସେଥିରେ ବେଲପାହାଡ଼ର ନିର୍ବାଚିତ କାଉନସିଲରମାନଙ୍କୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇ ଅନ୍ଧାରରେ ରଖାଯାଇଥିଲା। ଅଳକା ମହାନ୍ତି ଏବଂ ତାଙ୍କ ଗୋଷ୍ଠୀ ନିଜ ସମର୍ଥକମାନଙ୍କୁ ନେଇ ଭୁବନେଶ୍ୱର ଯାଇଥିବା ବେଳେ ତୃଣମୂଳ ସ୍ତରର ପ୍ରକୃତ ନିର୍ବାଚିତ ପ୍ରତିନିଧିଙ୍କୁ ଅପମାନିତ କରାଯାଇଛି। ସଭାପତି ନବୀନ ପଟ୍ଟନାୟକ ସେବା ଓ ଏକଜୁଟ୍ ହୋଇ ଲୋକଙ୍କ ସ୍ୱର ସାଜିବାକୁ ଆହ୍ବାନ ଦେଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ନେତାମାନେ ମନମୁଖୀ କାର୍ଯ୍ୟ ଚଳାଇଛନ୍ତି ଏବଂ ଦଳକୁ ଦୁର୍ବଳ କରୁଛନ୍ତି।
ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଝାରସୁଗୁଡ଼ା ଜିଲ୍ଲା ବିଜେଡି ସଭାପତିଙ୍କ ଜରିଆରେ ପଠାଯାଇଥିବା ଏହି ଇସ୍ତଫାପତ୍ରରେ କାଉନସିଲରମାନେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଯେ, ସେମାନେ ସବୁବେଳେ ନବୀନ ବାବୁଙ୍କ ନେତୃତ୍ୱ ଓ ଓଡ଼ିଶାର ବିକାଶ ପାଇଁ ତାଙ୍କର ସମର୍ପଣକୁ ସମ୍ମାନ ଦେଇ ଆସିଛନ୍ତି। କିନ୍ତୁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଶ୍ରୀମତୀ ଅଳକା ମହାନ୍ତିଙ୍କ ନେତୃତ୍ୱ ଓ କାର୍ଯ୍ୟଶୈଳୀ ଯୋଗୁଁ ଦଳ ଭିତରେ କାମ କରିବା ଅସମ୍ଭବ ହୋଇପଡ଼ିଛି। ତୃଣମୂଳ ସ୍ତରର ନିର୍ବାଚିତ ପ୍ରତିନିଧିଙ୍କୁ କ୍ରମାଗତ ଭାବେ ଅବହେଳା, ବାଦ୍ ଦେବା ଏବଂ ଅସମ୍ମାନ କରାଯିବା ଯୋଗୁଁ ସେମାନେ ଗଭୀର ଭାବେ ମର୍ମାହତ। ତେଣୁ ବେଲପାହାଡ଼ ପୌରପାଳିକାର ଦୁଇ-ତୃତୀୟାଂଶରୁ ଅଧିକ ନିର୍ବାଚିତ ପ୍ରତିନିଧି ଦଳର ପ୍ରାଥମିକ ସଦସ୍ୟ ପଦ ତ୍ୟାଗ କରିଛନ୍ତି।
ଇସ୍ତଫାପତ୍ରରେ ବେଲପାହାଡ଼ ପୌରପାଳିକାର ଉପ-ଅଧ୍ୟକ୍ଷା ଙ୍କ ସମେତ ୱାର୍ଡ ନଂ ୧୧ର କାଉନସିଲର ଯୁଧିଷ୍ଠିର ମୁଖୀ, ୱାର୍ଡ ନଂ ୧୨ର ନିକି କାଲୋ, ୱାର୍ଡ ନଂ ୧୦ର ସଞ୍ଜୀବ କିଷାନ, ୱାର୍ଡ ନଂ ୭ର ଶକୁନ୍ତଳା ମହାନ୍ତି, ୱାର୍ଡ ନଂ ୧୭ର ଆଶା ତ୍ରିପାଠୀ, ୱାର୍ଡ ନଂ ୮ର ସଞ୍ଜୟ ଯାଦବ, ୱାର୍ଡ ନଂ ୩ର ଜ୍ୟୋତିର୍ମୟୀ ପଟ୍ଟନାୟକ, ୱାର୍ଡ ନଂ ୧ର ଅର୍ଜିନା ବେଗମ୍ ଏବଂ ୱାର୍ଡ ନଂ ୧୮ର କିରଣ ମାରାଲ ପ୍ରମୁଖ ସ୍ବାକ୍ଷର କରିଛନ୍ତି।
ଏହି ଗଣ-ଇସ୍ତଫା ଘଟଣା ସମଗ୍ର ଝାରସୁଗୁଡ଼ା ଜିଲ୍ଲା ରାଜନୀତିରେ ହେଲଚେଲ ସୃଷ୍ଟି କରିଥିବା ବେଳେ ଆଗାମୀ ଦିନରେ ବ୍ରଜରାଜନଗର ଓ ବେଲପାହାଡ଼ ଅଞ୍ଚଳରେ ବିଜେଡି ସଂଗଠନକୁ ଏହା ଏକ ଶକ୍ତ ଧକ୍କା ଦେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।
