ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଇପିଏଫ ଆକାଉଣ୍ଟରେ ପଡ଼ି ରହିଛି କୋଟି କୋଟି ଟଙ୍କା। ହେଲେ ନେବା ପାଇଁ କେହି ଦାବିଦାର ନାହାନ୍ତି। ଏବେ ପ୍ରଶ୍ନ ଉଠୁଛି ଏହି ଟଙ୍କା ଏବେ ନେବ କିଏ। ଏଥିରେ ସୁବ୍ୟବସ୍ଥିତ ନଥିବାରୁ ଇଫିଏଫରେ ଟଙ୍କା ଥିବା ନେଇ ଅଧିକାଂଶ କର୍ମଚାରୀ ଜାଣି ପାରୁ ନାହାନ୍ତି। ଏପରିକି ଟଙ୍କା କଟୁଥିଲେ ବି ଅଧିକାଂଶ କର୍ମଚାରୀଙ୍କ ପାଖରେ ଇପିଏଫ ନମ୍ବର ବି ନଥାଏ। ଏଭଳି ସ୍ଥିତିରେ ଇପିଏଫରେ ଟଙ୍କା ପଡ଼ି ରହିଥିଲେ ବି କେହି ଦାବିଦାର ନାହାନ୍ତି। ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଲାଗି ରହିଛି ଇପିଏଫ ସୁବିଧା। ଯେଉଁଥିରେ ଘରୋଇ କ୍ଷେତ୍ରର କର୍ମଚାରୀ ନିଜ ବେତନରୁ କିଛି ଟଙ୍କା ଓ କମ୍ପାନୀ କିଛି ଟଙ୍କା ପ୍ରତିମାସରେ ଦେଇଥାନ୍ତି। ଚାକିରିରୁ ଅବସର ସମୟରେ ଏହି ଟଙ୍କା କାମରେ ଆସିଥାଏ। ଏବେ ଇଫିଏଫରେ ଅନେକ ପରିବର୍ତ୍ତନ ଆସିଛି । ଏହି ସମୟରେ ଆରଟିଆଇ ଆବେଦନରୁ ଆସିଛି ଚକିତ କଲା ଭଳି ତଥ୍ୟ । ଏବେ ଦେଶର ୩୦ ଲକ୍ଷ ୯୧ ହଜାର ଅଚଳ ଇପିଏଫ ଆକାଉଣ୍ଟରେ ୯ ହଜାର ୩୩୦ କୋଟି ପଡ଼ି ରହିଥିବା ଜଣାପଡ଼ିଛି । ଇପିଏଫ ସ୍କିମ୍‍ ୧୯୫୨ ସ୍ଥାନରେ ଜୁନ୍ ୨୯ ତାରିଖରେ ଇପିଏଫ ସ୍କିମ୍ ୨୦୨୬ ଲାଗୁ ହୋଇଛି । ନୂଆ ବ୍ୟବସ୍ଥାରେ ପିଏଫ ନିୟମାବଳୀକୁ ଆହୁରି ସରଳ କରାଯିବା ସହ ଏବେ ସକ୍ରିୟ ଥିବା ୮ ଲକ୍ଷ ଇପିଏଫ ଧାରକଙ୍କ ଲାଗି ଡିଜିଟାଲ୍ ଉପଯୋଗୀ କରାଯାଇଛି । ଏହି ସମୟରେ ତଥ୍ୟ ଆସିଛି ଯେ, ଏବେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂସ୍ଥା ପାଖରେ ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ୩୦ ଲକ୍ଷ ୯୧ ହଜାର ୮୬୨ଟି ଅଚଳ ଇପିଏଫ ଆକାଉଣ୍ଟ ରହିଛି । ଯେଉଁଥିରେ ପ୍ରାୟ ୯ ହଜାର ୩୩୦ କୋଟି ଟଙ୍କା ରହିଥିବା ଆରଟିଆଇ ତଥ୍ୟରୁ ଜଣାପଡ଼ିଛି । ଆରଟିଆଇରୁ ମିଳିଥିବା ସୂଚନା ଅନୁସାରେ, ଗତ ଆର୍ଥିକ ବର୍ଷ ଅପେକ୍ଷା ଅଚଳ ଆକାଉଣ୍ଟ ସ୍ଥିତିରେ ସୁଧାର ଆସିଛି । ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ୩୧ ଲକ୍ଷ ୮୩ ଲକ୍ଷ ଅଚଳ ଇପିଏଫ ଆକାଉଣ୍ଟ ରହିଥିଲା । ତାହା ଏବେ ପ୍ରାୟ ୯୨ ହଜାର ହ୍ରାସ ପାଇଛି । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ୩୦ ଲକ୍ଷ ୯୧ ହଜାର ଅଚଳ ଇପିଏଫ ଆକାଉଣ୍ଟ ରହିଛି । ଏଥିସହ ପୂର୍ବରୁ ୧୦ ହଜାର ୧୮୧ କୋଟି ଟଙ୍କା ଅଚଳ ଆକାଉଣ୍ଟରେ ଥିବାବେଳେ ତାହା ଏବେ ୮୫୧ କୋଟି ହ୍ରାସ ପାଇବା ପରେ ୯ ହଜାର ୩୩୦ କୋଟିରେ ପହଞ୍ଚିଛି। ତଥାପି ଅବସର ପରେ ପାଖାପାଖି ୩୧ ଲକ୍ଷ ଆକାଉଣ୍ଟଧାରୀ ସେମାନଙ୍କ ଅବସରକାଳୀ ଜମା ରାଶି ପାଇଁ ଦାବି କରିନାହାନ୍ତି ।