୩୭୦ ହଟିବା ପରେ ଅଧିକ ବିଗିଡ଼ିଛି କାଶ୍ମୀରର ପରିସ୍ଥିତି: ଗୁଲାମନବୀ ଆଜାଦ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବେ କାଶ୍ମୀର ଗସ୍ତରେ ଅଛନ୍ତି। ରାଜ୍ୟରୁ  ସମ୍ବିଧାନର ଅନୁଚ୍ଛେଦ ୩୭୦  ହଟିବା ପରେ କାଶ୍ମୀରରେ ବିକାଶର ନୂଆ ଯୁଗ ଆରମ୍ଭ ହୋଇଥିବା ଶାହ କହିଛନ୍ତି। ଏବେ ଶାହଙ୍କ ଏହି ବୟାନକୁ ନେଇ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ୩୭୦ ଧାରା ହଟିବା ପରେ କାଶ୍ମୀରର ପରିସ୍ଥିତି ଦୟନିୟ ହୋଇପଡିଥିବା ଆଜାଦ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ ସମ୍ବିଧାନର ଧାରା ହଟିବା ପରେ କାଶ୍ମୀରକୁ ଦେଶର ମୁଖ୍ୟ ଧାରାରେ ସାମିଲ କରାଯିବ ବୋଲି କେନ୍ଦ୍ର ସରକାର ଆମକୁ ପ୍ରତିଶ୍ରୁତି ଦେଇଥିଲେ। କହିଥିଲେ କାଶ୍ମୀରରେ ବିକାଶ ଆସିବ। ହେଲେ  ଏବେ ପରିସ୍ଥିତି କିଛି ଭିନ୍ନ କଥା ବୟାନ କରୁଛି। ସମ୍ବିଧାନର ଧାରା ହଟାଇବା କାଳରେ କେନ୍ଦ୍ର ସରକାର ରାଜ୍ୟବାସୀଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲେ ସେଥିରୁ ଗୋଟିଏ ହେଲେ ପୂରଣ କରି ନାହାନ୍ତି। ପୂର୍ବାପେକ୍ଷା ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ବଢ଼ିଛି। ସେମାନେ ଏବେ ସାଧାରଣ ନାଗରିକଙ୍କ ସମେତ ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ସେମାନଙ୍କ ଟାର୍ଗେଟ କରିବାରେ ଲାଗିଲେଣି। ତେବେ ରାଜ୍ୟର ଆଇନ ବ୍ୟବସ୍ଥା ସେତେବେଳେ ଶୃଙ୍ଖଳିତ ଥିଲା ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଶାସନରେ ଥିଲା ବୋଲି ଆଜାଦ କହିଛନ୍ତି।

ଏଣୁ କେନ୍ଦ୍ର ସରକାର ଯାହା କରିଛନ୍ତି ସେଥିରୁ ତୁରନ୍ତ ସୁଧାର କରନ୍ତୁ। କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପ୍ରଦାନ କରନ୍ତୁ ବୋଲି ଗୁଲାମନବୀ ଆଜାଦ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର କାଶ୍ମୀରକୁ ସମ୍ଭାଳି ପାରୁନାହାନ୍ତି। ଏଣୁ ରାଜ୍ୟର ପରିସ୍ଥିତି ସୁଧାର ନିମନ୍ତେ ପ୍ରଥମେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରନ୍ତୁ ଓ ରାଜ୍ୟରେ ନିର୍ବାଚିତ ସରକାର ସ୍ଥାପନା କରନ୍ତୁ। ଏଥିଲାଗି ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ ମଧ୍ୟ କରିଥିବା କହିଛନ୍ତି।

Related Posts