ବାଲେଶ୍ବର, (ସତ୍ୟପାଠବ୍ୟୁରୋ): ୫୦ ଦିନରେ ପାଞ୍ଚ ପାଞ୍ଚ ଥର ବନ୍ୟା ଆସି ଜନ ଜୀବନ ଅସ୍ତବ୍ୟସ୍ତ କରି ସାରିଲାଣି। ଗାଁ ଗଣ୍ଡାରୁ ପାଣି ଛାଡ଼ି ନଥିବାବେଳେ ପୁଣି ଆସିଛି ଆଉ ଏକ ବନ୍ୟା । ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଗାଲୁଡ଼ିହି ବ୍ୟାରେଜର ୧୩ ଗେଟ ଦେଇ ସୁବର୍ଣ୍ଣ ରେଖାରେ ପଶୁଛି ବନ୍ୟାଜଳ। ରାଜଘାଟଠାରେ ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ ଗତକାଲି ରାତି ୧୦ଟା ସୁଦ୍ଧା ଏହା ୧୧.୭୨ ମିଟରରେ ପହଞ୍ଚିଥିଲା । ତେବେ ଆଜି ସକାଳ ୬ଟା ସୁଦ୍ଧା ଜଳସ୍ତର ୧୧.୪୨ ମିଟରରେ ପ୍ରବାହିତ ହେଉଛି । ସେପଟେ ସ୍ଲୁଇସ ଗେଟ୍ରେ ବିରାଟ ଫାଟ ସୃଷ୍ଟି ହୋଇଥିବାରୁ ଗାଁରେ ପଶୁଛି ବନ୍ୟା ପାଣି। ସୁବର୍ଣ୍ଣରେଖା ନଦୀର ବନ୍ୟା ପାଣି ମାଡ଼ରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଆଉସା ବନ୍ଧ ପୋଲରେ ଥିବା ଗେଟରେ ବିରାଟ ଫାଟ ସୃଷ୍ଟି ହୋଇଛି। ନଦୀ ବନ୍ଧ ଭିତର ପଟକୁ ପଶୁଛି ବନ୍ୟା ପାଣି ଫଳରେ ଆତଙ୍କିତ ହୋଇପଡ଼ିଛନ୍ତି ଗାଁ ଲୋକେ। ସୁବର୍ଣ୍ଣରେଖା ନଦୀର ବନ୍ୟା ପାଣି ମାଡ଼ରେ ଗୋଟିଏ ଗେଟରେ ଫାଟ ସୃଷ୍ଟି ହୋଇ ଗାଁ ଭିତରକୁ ପାଣି ପଶିବା ଆରମ୍ଭ କରିଛି। ବିଭାଗକୁ ଅବଗତ କରିବା ପରେ ମଧ୍ୟ ଏ ପର୍ଯ୍ୟନ୍ତ ପାଣି ରୋକିବା ପାଇଁ କେବଳ ବାଲି ବସ୍ତା ପକାଯାଉଥିବା ଦେଖାଯାଇଛି। ଜଳସ୍ତର କମୁଥିଲେ ମଧ୍ୟ ବନ୍ୟା ଯୋଗୁଁ ବାଲିଆପାଳ ବ୍ଲକର ୯ଟି ପଞ୍ଚାୟତର ପ୍ରାୟ ୧୨୦ରୁ ଅଧିକ ଗାଁ ଏବେ ବି ଗୁରୁତର ଭାବେ ପ୍ରଭାବିତ ହୋଇ ରହିଛି। ଏହି ବନ୍ୟା ଘେରରେ ପ୍ରାୟ ୬୦ ହଜାରରୁ ଅଧିକ ଲୋକ ରହିଥିବା ବେଳେ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ବନ୍ୟା ପାଣି ମୁଖ୍ୟ ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଓ ଅତ୍ୟାବଶ୍ୟକ ସେବା ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଘଟଣାସ୍ଥଳରେ ୯ଟି ଏସଆରସି ବୋଟ୍, ୩ଟି ଓଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ ବାହିନୀକୁ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଛି। ପ୍ରଭାବିତ ଲୋକଙ୍କୁ ସହାୟତା କରିବା ପାଇଁ ୩୨ଟି ସ୍ଥାନରେ ମାଗଣା ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇଛି। ଏହା ସହିତ ପଞ୍ଚାୟତ ପ୍ରତିନିଧିମାନଙ୍କ ଜରିଆରେ ପ୍ରତି ଗାଁରେ ଲୋକଙ୍କୁ ଚୁଡ଼ା ଓ ଗୁଡ଼ ଭଳି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି । ଜଳସ୍ତର ଆହୁରି ହ୍ରାସ ପାଇଲେ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି, କିନ୍ତୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରାଯାଇଛି । ସେପଟେ ସମ୍ପୂର୍ଣ୍ଣ ଗେଟ୍ ଭାଙ୍ଗିଲେ ଭୋଗରାଇ ବ୍ଳକର ୬ଟି ପଞ୍ଚାୟତରେ ପାଣି ପଶିବା ନେଇ ଆଶଙ୍କା କରାଯାଉଛି। ଗୋଟେ ପଟେ ନଦୀର ପାଣି ଯଦିଓ କମୁଛି ହେଲେ ଏବେ ବି ବିପଦ ସଂକେତ ଉପରେ ପାଣି ପ୍ରବାହିତ ହେଉଛି। ଏହାର ପ୍ରଭାବରେ ଏବେ ପାଣିର ଅଧିକ ଚାପ ସୃଷ୍ଟି ହୋଇ ଫଟା ଗେଟ ଦେଇ ପାଣି ପ୍ରବଳ ମାତ୍ରାରେ ନଦୀ ବନ୍ଧ ଭିତରକୁ ପ୍ରବେଶ କରୁଛି ଯାହାକୁ ଦେଖି ଲୋକ ଆତଙ୍କିତ ହୋଇପଡ଼ିଛନ୍ତି।
