ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ତିନି ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଗତ ବର୍ଷ ଫେବ୍ରୁଆରିରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପହଞ୍ଚିବା ପରେ ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭରଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବାର୍ଟ ଡି ୱେଭର ନୂଆଦିଲ୍ଲୀର ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାର୍ଟ ଡି ୱେଭରଙ୍କ ମଧ୍ୟରେ ଅନେକ ସମୟ ଧରି ଦ୍ବିପାକ୍ଷିକ ଆଲୋଚନା ହୋଇଛି। ଦୁଇ ନେତାଙ୍କ ମଧ୍ୟରେ ପ୍ରତିନିଧି ସ୍ତରୀୟ ଆଲୋଚନା ହେବା ସହ ଭାରତ-ବେଲଜିୟମ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି । ବିଶେଷ କରି ବୈଷୟିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହୋଇଥିବା ସୂଚନା ମିଳିଛି। ଗ୍ରୀନ ହାଇଡ୍ରୋଜେନ, ସେମିକଣ୍ଡକ୍ଟର ଏବଂ କ୍ଲିନ ଟେକ୍ନୋଲୋଜି କ୍ଷେତ୍ରରେ ଦ୍ୱିପାକ୍ଷିକ ଭାଗିଦାରୀ ବୃଦ୍ଧି ପାଇଁ ଆଲୋଚନା ହୋଇଥିଲା । ବେଲଜିୟମ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ବଣିଜ୍ୟ କ୍ଷେତ୍ରରେ ଦୁଇ ଦେଶ ଆଗକୁ ବଢ଼ିବା ପାଇଁ ପ୍ରତିଶ୍ରୁତିବଦ୍ଧ। ୨୦୨୫ରେ ଏଫଡିଆଇ ବିଷୟରେ କହିବାକୁ ଗଲେ ୪ ଆରବ ଡଲାରଥିବାବେଳେ ଏହି ବ୍ୟାପାର ବୃଦ୍ଧି ପାଇ ୧୩ ଆରବ ଡଲାରରେ ପହଞ୍ଚିଛି। କେଉଁ କେଉଁ କ୍ଷେତ୍ର ନିବେଶ କରାଯିବ ସେନେଇ ଆଲୋଚନା ହୋଇଛି। ବିଶେଷ କରି ରକ୍ଷା, ସୁରକ୍ଷା, ଟେକନୋଲୋଜି ଉପରେ ଅଧିକ ନିବେଶ କରିବା ପାଇଁ ଆଲୋଚନା ହୋଇଛି। ନବୀକରଣ ଉର୍ଜା, ଏନେର୍ଜି କନଜେରଭେରସନ ପ୍ରସଙ୍ଗ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। କ୍ଲିନ ଓ ଗ୍ରୀନ ଏନେର୍ଜି ନେଇ ବେଲଜିୟମ ସହଯୋଗ କରିବା ନେଇ ପ୍ରତିଶ୍ରୁତିବଦ୍ଧ। ଆନ୍ଧ୍ର ପ୍ରଦେଶରେ ବେଲଜିୟମ କମ୍ପାନୀ ନିବେଶ କରିଥିବାବେଳେ କାକିନାଡ଼ାରେ ଏକ ପ୍ରକଳ୍ପ କାମ କରୁଛି। ହୀରା ପାଇଁ ବେଜିୟମର ବିଖ୍ୟାତ ଥିବାବେଳେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ହୀରା ଚମକିବ ବୋଲି କୁହାଯାଇଛି। ବୈଠକ ପରେ ସେ ମୁମ୍ବାଇ ଗସ୍ତ କରି ହୀରା ବ୍ୟବସାୟୀ, ବନ୍ଦର ଏବଂ ଲଜିଷ୍ଟିକ୍ସ କ୍ଷେତ୍ରର ପ୍ରତିନିଧିମାନଙ୍କୁ ଭେଟିବାର କାର୍ଯ୍ୟସୂଚୀ ରହିଛି। ଏହି ଉଚ୍ଚସ୍ତରୀୟ ଆଲୋଚନା ଦ୍ୱାରା ଭାରତ ଓ ବେଲଜିୟମ ମଧ୍ୟରେ ରଣନୀତିକ ଓ ଆର୍ଥିକ ସମ୍ପର୍କ ଏକ ନୂତନ ଦିଗ ପାଇବ ବୋଲି ଆଶା କରାଯାଉଛି। ଅନ୍ୟପଟେ ବେଲଜିୟମ ପ୍ରତିରକ୍ଷା ମନ୍ତ୍ରୀ ଥିଓ ଫ୍ରାଙ୍କେନ ମଧ୍ୟ ପ୍ରତିନିଧିମଣ୍ଡଳରେ ଆସିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦିଲ୍ଲୀରେ ବେଲଜିୟମ ପ୍ରତିରକ୍ଷା ମନ୍ତ୍ରୀ ଥିଓ ଫ୍ରାଙ୍କେନଙ୍କ ସହ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିଛନ୍ତି। ଏହି ଅବସରରେ, ବେଲଜିୟମ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଆମେ ଆପଣଙ୍କଠାରୁ ବହୁତ କିଛି ଶିଖିପାରିବୁ। ଭାରତର ପ୍ରଯୁକ୍ତି ଓ ସାମର୍ଥ୍ୟକୁ ପ୍ରଶଂସା କଲା ବେଲଜିୟମ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ବୈଠକ ବେଳେ ବଡ଼ କଥା କହିଛନ୍ତି ବେଲଜିୟମ ପ୍ରତିରକ୍ଷା ମନ୍ତ୍ରୀ ଥିଓ ଫ୍ରାଙ୍କେନ । ଭାରତର ପ୍ରଯୁକ୍ତି ଓ ସାମର୍ଥ୍ୟକୁ ପ୍ରଶଂସା କଲା ବେଲଜିୟମ। ଏହି ବୈଠକରେ ଭାରତକୁ ଏକ ଉଚ୍ଚ ପ୍ରଯୁକ୍ତି ସମ୍ପନ୍ନ ଦେଶ ବୋଲି କହିଛନ୍ତି ଫ୍ରାଙ୍କେନ । ଭାରତ ଓ ବେଲଜିୟମକୁ ଏକାଠି କାମ କରିବାକୁ ପଡ଼ିବ ବୋଲି ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି । ଅନ୍ୟପଟେ ରାଜନାଥ ସିଂହ କହିଛନ୍ତି, ବିଶ୍ୱ ଏବେ ଗୁରୁତ୍ୱପୂର୍ଣ୍ଣ ଭୂରାଜନୈତିକ ଓ ଆର୍ଥିକ ଅସ୍ଥିରତା ଦେଇ ଗତି କରୁଛି । ଏଭଳି ସମୟରେ ବେଲଜିୟମ ଭଳି ବନ୍ଧୁ ଏବଂ ଗୁରୁତ୍ୱପୂର୍ଣ୍ଣ ସହଯୋଗୀଙ୍କ ସହ ସିଧାସଳଖ ଆଲୋଚନା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଭାରତ ଏବଂ ବେଲଜିୟମ ମଧ୍ୟରେ ଦୀର୍ଘଦିନର ସୁସମ୍ପର୍କ ରହିଥିବା କହିଛନ୍ତି ରାଜନାଥ। ବିଶେଷକରି ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବଢ଼ାଇବାର ବ୍ୟାପକ ସମ୍ଭାବନା ଥିବା ସେ କହିଛନ୍ତି। ଏହାସହ ଭାରତୀୟ ଓ ବେଲଜିୟମ ପ୍ରତିରକ୍ଷା କମ୍ପାନି ମଧ୍ୟରେ ଅଧିକ ସହଯୋଗକୁ ମଧ୍ୟ ସ୍ୱାଗତ କରିଛନ୍ତି ରାଜନାଥ ସିଂହ।
