ଭୁବନେଶ୍ବର(ସତ୍ୟପାଠବ୍ୟୁରୋ) : ଆଜିକୁ ମିଶାଇ ୫ଦିନ ପର୍ଯ୍ୟନ୍ତ ଖୋଲିବନି ବ୍ୟାଙ୍କ। ଠପ୍ ହୋଇଯିବ ବ୍ୟାଙ୍କିଙ୍ଗ୍ ସେବା।ଆଜି ବିଭିନ୍ନ ଦାବି ନେଇ ବ୍ୟାଙ୍କ କର୍ମଚାରୀ ଧର୍ମଘଟ କରିଛନ୍ତି। ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ସିଧାସଳଖ ପଡ଼ିଛି।
ପାର୍ବଣ ପାଇଁ ସଜେଇ ହେଲାଣି ଗାଁ ଠୁ ସହର। ଗଣେଶ ପୂଜା, ନୂଆଁଖାଇ ପାଇଁ ଲୋକେ କିଣାକିଣିରେ ବ୍ୟସ୍ତ। ଏତିକିବେଳେ ଅଡୁଆ ବଢ଼ାଇଛି ବ୍ୟାଙ୍କ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ ଦିଆଯାଇଥିବା ଦିନିକିଆ ଧର୍ମଘଟ ଡାକରାରେ ବନ୍ଦ ରହିଛି ବ୍ୟାଙ୍କ୍। ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଲାଗୁ କରିବାରେ ବିଳମ୍ବ, ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ ସ୍କିମ୍କୁ ନେଇ ମତଭେଦ, ପେନସନ୍ ସମେତ ଅନ୍ୟାନ୍ୟ ପିଛିଲା ଦାବି ପୂରଣ ପାଇଁ ଧର୍ମଘଟକୁ ଓହ୍ଲାଇଛନ୍ତି ବ୍ୟାଙ୍କ କର୍ମଚାରୀ। ସଂଘର ଡାକରାରେ ରାଜ୍ୟର ପ୍ରାୟ ୭୦ ହଜାର କର୍ମଚାରୀ ସାମିଲ ହେବା ପରେ ବିଗିଡି ଯାଇଛି ସ୍ଥିତି। ଯାହାଫଳରେ ପ୍ରଭାବିତ ହୋଇଛି ଅର୍ଥନୀତି ଓ ହନ୍ତସନ୍ତ ହୋଇଛନ୍ତି ଗ୍ରାହକ।
ଶୁକ୍ରବାର ଧର୍ମଘଟ, ମାସର ଦ୍ବିତୀୟ ଶନିବାର ଏବଂ ରବିବାର ଛୁଟିଦିନ। ସୋମବାର ଗଣେଶ ପୂଜା ଓ ମଙ୍ଗଳବାର ନୂଆଁଖାଇ ଛୁଟି। ଅର୍ଥାତ ମୋଟ ୫ଦିନ ବ୍ୟାଙ୍କ ସେବା ବନ୍ଦ ରହିବ। ଯାହାଫଳରେ ଶାଖାରେ ଚେକ୍ କ୍ଲୟରାନ୍ସ, ଟଙ୍କା ଜମା, ଉଠାଣ ସହ ଅନ୍ୟାନ୍ୟ ସେବା ପ୍ରଭାବିତ ହେବ। ମୁକାବିଲା ପାଇଁ ଏଟିଏମ ଗୁଡିକରେ ଟଙ୍କା ଭର୍ତ୍ତି କରାଯାଇଛି। କିନ୍ତୁ ଯେତିକି ଟଙ୍କା ଭର୍ତ୍ତି କରାଯାଇଛି ତାହା ଦିନେ ଦୁଇଦିନ ଭିତରେ ଶେଷ ହୋଇଯାଇପାରେ।
