ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଅପ‌ରେସନ ଅଜୟ ଅଧୀନରେ ଭାରତ ସରକାର ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ୧୨୦୦ ଭାରତୀୟଙ୍କୁ ଫେରାଇ ଆଣିଲେଣି। ୫ଟି ବିମାନରେ ୧୨୦୦ ଭାରତୀୟ ଇସ୍ରାଏଲରୁ ସ୍ବଦେଶକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ୧୮ ଜଣ ନେପାଳ ନାଗରିକ ମଧ୍ୟ ଅଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚି ଆଜି ଏହି ସୂଚନା ଦେଇଛନ୍ତି।

ତେବେ ଗାଜାରେ ଏବେ ୪ ଜଣ ଭାରତୀୟ ଅଛନ୍ତି। ସେମାନଙ୍କୁ ଫେରାଇ ଆଣିବାପାଇଁ ପରିସ୍ଥିତି ଏବେ ଅନୁକୂଳ ନାହିଁ। ଗାଜାରୁ ନାଗରିକଙ୍କୁ ଖାଲି କରିବା ଖୁବ୍‌ କଷ୍ଟଦାୟକ। କିନ୍ତୁ ଯେବେ ବି ସୁଯୋଗ ମିଳିବ ତୁରନ୍ତ ସେମାନଙ୍କୁ ସେଠାରୁ ଅଣାଯିବ ‌ବୋଲି ଏମ୍‌ଇଏ ମୁଖପାତ୍ର ବାଗ୍‌ଚି କହିଛନ୍ତି।

ସେମାନଙ୍କ ମଧ୍ୟରୁ ଜଣେ ୱେଷ୍ଟ ବ୍ୟାଙ୍କ୍‌ରେ ଅଛନ୍ତି। ତେବେ ଗାଜାରେ କୌଣସି ଭାରତୀୟଙ୍କ ମୃତାହତ ନେଇ କିଛି ଖବର ନାହିଁ ବୋଲି ସେ କହିଛନ୍ତି। ଗାଜାରେ ହସ୍ପିଟାଲ୍‌ ଉପରେ ବିସ୍ଫୋରଣ ଯୋଗୁଁ ୫୦୦ ଲୋକଙ୍କ ମୃତ୍ୟୁ ହେବା ଘଟଣାରେ ଭାରତ ଚିନ୍ତା ପ୍ରକଟ କରୁଛି ବୋଲି ବାଗ୍‌ଚି କହିଛନ୍ତି। ସେହିପରି ଆତଙ୍କବାଦ ବିରୋଧରେ ଆନ୍ତର୍ଜାତୀୟ ସମୁଦାୟ ଏକଜୁଟ ହେବାପାଇଁ ଏମ୍‌ଇଏ ମୁଖପାତ୍ର ଅନୁରୋଧ କରିଛନ୍ତି।