ଭୁବନେଶ୍ୱର,୯/୧(ସତ୍ୟପାଠ ବ୍ୟୁରୋ): ଆଜି ହେଉଛି କମିସନରେଟ ପୁଲିସର ୧୫ତମ ପ୍ରତିଷ୍ଠା ଦିବସ । ଏହାକୁ ଆଖି ଆଗରେ ରଖି ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ବହୁମୁଖୀ କାର୍ଯ୍ୟକ୍ରମ ସହିତ ସାପ୍ତାହିକ ଉତ୍ସବ ପାଳନ କରାଯାଉଛି। ପ୍ରତିଷ୍ଠା ଦିବସ ଉପଲକ୍ଷେ ରବିବାର ଭୁବନେଶ୍ୱର ସହରର ବିଭିନ୍ନ ବସ୍ତିରେ ‘ବସ୍ତିକୁ ଚାଲ’ ଅଭିଯାନ କ୍ରମରେ ପୁଲିସ ମିତ୍ର ସହଯୋଗିତାରେ ବସ୍ତି ଜନସାଧାରଣଙ୍କ ସହିତ ଉତ୍ସବ ପାଳନ କରାଯାଇଥିଲା।
ଏହି କ୍ରମରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହାଡ଼ବାଇ ବସ୍ତିରେ କୁନି ପିଲାମାନଙ୍କୁ ନେଇ ପ୍ରତିଭା ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ କୁନି କୁନି ପିଲାମାନେ ନୃତ୍ୟ ପ୍ରଦର୍ଶନ କରି ମନ ମୋହିଥିଲେ।
ପୁଲିସ କମିସନର ଶ୍ରୀ ପ୍ରିୟଦର୍ଶୀ ବସ୍ତି ବାସିନ୍ଦା କିପରି ବିଭିନ୍ନ ନିଶା ଦ୍ରବ୍ୟ, ଅସାମାଜିକ କାର୍ଯ୍ୟକଳାପରୁ ନିବୃତ ରହିବେ ସେଥିପାଇଁ ପରାମର୍ଶ ଦେଇଥିଲେ। ସେହିପରି ୧୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନୂଆପଲ୍ଲୀ ଥାନା ଅନ୍ତର୍ଗତ ଲକ୍ଷ୍ମଣ ନାଏକ ବସ୍ତିରେ ମଧ୍ୟ ‘ବସ୍ତିକୁ ଚାଲ’ ଅଭିଯାନ କ୍ରମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଥିରେ ନୂଆପଲ୍ଲୀ ଥାନା ଅଧିକାରୀ ଏବଂ ଅନ୍ୟ ଅଧିକାରୀମାନେ ଯୋଗ ଦେଇ ପୁଲିସ ମିତ୍ରମାନଙ୍କୁ ଗତ ଦଶହରା ଉତ୍ସବ ସମୟରେ ସେମାନଙ୍କର ଉତ୍ତମ ସେବା ପ୍ରଦାନ କରିବା ଉପଲକ୍ଷେ ମାନପତ୍ର ପ୍ରଦାନ କରିଥିଲେ। ସେହିପରି ଭାବେ ଇନଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ବସ୍ତିରେ ମଧ୍ୟ ‘ବସ୍ତିକୁ ଚାଲ’ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏଥିରେ ୬ନଂ ଜୋନ୍ର ଏସିପି, ଇନଫୋସିଟି ଥାନା ଅଧିକାରୀ ଓ ଅନ୍ୟ ଅଧିକାରୀ ଯୋଗ ଦେଇଥିଲେ। ୧୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପୂର୍ବରୁ ଭୁବନେଶ୍ୱର କମିସନରେଟ ପୁଲିସ ତରଫରୁ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।