୨୦୨୪ରେ ଆସିବ ବିଏସ୍‌ଏନ୍‌ଏଲ୍‌ ୫ଜି, ଅନ୍ୟ ଟେଲିକମ କମ୍ପାନୀଙ୍କୁ ଦେବ କଡା ଟକ୍କର

ଭୁବନେଶ୍ୱର,୯/୧(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏଲଏଲ୍‌) ୫ଜି ସେବା ଆଣିବା ଲାଗି ଏହାର ପ୍ରସ୍ତୁତି ଆରମ୍ଭ କରିଛି । ୨୦୨୪ ଏପ୍ରିଲରେ କମ୍ପାନି ଏହି ସେବାର ଶୁଭାରମ୍ଭ କରିବ ବୋଲି ନିକଟରେ ଓଡ଼ିଶାରେ ୫ଜି ସେବା ଆରମ୍ଭ କରିବା ଅବସରରେ କେନ୍ଦ୍ର ଟେଲିକମ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ । ତେବେ କମ୍ପାନି ଏବେ ୪ଜି ସେବା ଆରମ୍ଭ କରିବା ଉପରେ ଧ୍ୟାନ ଦେଉଛି । କମ୍ପାନୀ ୪ଜି ଆଣିବାର ଗୋଟିଏ ବର୍ଷ ମଧ୍ୟରେ ଏହାକୁ ୫ଜିକୁ ଅପ୍‌ଗ୍ରେଡ କରାଯିବ ବୋଲି ସୂଚନା ମିଳିଛି।

ବିଏସ୍‌ଏନ୍‌ଏଲ୍‌ ଟିସିଏସ୍‌ ଏବଂ ସିଡଟ୍‌ ସହ ମିଳିତ ହୋଇ ୪ଜି ଆଣିବା ପାଇଁ ପ୍ରସ୍ତୁତି ଜୋରଦାର କରିଛି । କମ୍ପାନି ଏହାର ନେଟୱର୍କ ଅପ୍‌ଗ୍ରେଡ କରିବା କାମକୁ ତ୍ୱରାନ୍ୱିତ କରିଛି । ନିକଟରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ଏୟାରଟେଲ ଏବଂ ଜିଓର ୫ଜି ସେବାକୁ ଓଡ଼ିଶାରେ ଶୁଭାରମ୍ଭ କରିଥିଲେ । ଓଡ଼ିଶାରେ ବିଏସ୍‌ଏନ୍‌ଏଲ୍‌ ର ୫ଜି ସେବା ଆଗାମୀ ୨ ବର୍ଷରେ ମିଳିବ ବୋଲି ସେ କହିଥିଲେ । ବିଏସ୍‌ଏନ୍‌ଏଲ୍‌ ୫ଜି ଆଣିଲେ ଏୟାରଟେଲ ଏବଂ ଜିଓକୁ ଟକ୍କର ଦେବ ବୋଲି ଗଣମାଧ୍ୟମର ଏକ ରିପୋର୍ଟରେ କୁହାଯାଇଛି। ବିଏସ୍‌ଏନ୍‌ଏଲ୍‌ ୫ଜି ଲଞ୍ଚ କଲେ ଅନ୍ୟ ଟେଲିକମ କମ୍ପାନୀଙ୍କ ତୁଳନାରେ ଏହା ଶସ୍ତା ରହିବ ତେଣୁ ଏହା ଅଧିକ ଆଦୃତ ହେବ ବୋଲି ଆଶା କରାଯାଉଛି।

ତେବେ ଉଲ୍ଲେଖଯୋଗ୍ୟ ଯେ, ଏୟାରଟେଲ ଓ ଜିଓ ଭାରତରେ ଅକ୍ଟୋବର ମାସରେ ୫ଜି ସେବା ଶୁଭାରମ୍ଭ କରିଥିଲେ । ଚଳିତ ଜାନୁୟାରୀ ମାସରୁ ଏହି ୨ କମ୍ପାନୀ ଓଡ଼ିଶାର ଭୁବନେଶ୍ୱର ଓ କଟକରେ ୫ଜି ସେବାର ଆରମ୍ଭ କରିଛନ୍ତି। ଏହି ୨ କମ୍ପାନି ଏବେ ଦେଶର ଏକାଧିକ ସହରରେ ୫ଜି ଉପଲବ୍ଧ କରାଇଛନ୍ତି ।

Related Posts