କମିଶନରେଟ୍‌ ପୁଲିସ ପକ୍ଷରୁ ଭୁବନେଶ୍ୱରରେ ଆରମ୍ଭ ହେଲା ଅପରେସନ ‘ସେଫ୍‌ ସିଟି ଡ୍ରାଇଭ୍‌’

ଭୁବନେଶ୍ୱର,୩୦/୧୨(ସତ୍ୟପାଠ ବ୍ୟୁରୋ): ସୁରକ୍ଷିତ ହକି ବିଶ୍ୱକପ୍‌ ଆମ ଲକ୍ଷ୍ୟ । ଏହି ସ୍ଲୋଗାନରେ କମିଶନରେଟ୍‌ ପୁଲିସ ଭୁବନେଶ୍ୱରରେ ଆରମ୍ଭ କରିଛି ଅପରେସନ ‘ସେଫ୍‌ ସିଟି ଡ୍ରାଇଭ୍‌’ । ଏହି ଅପରେସନ ଜରିଆରେ ସହରରେ ବ୍ଲକିଂ, ଚେକିଂ ଜୋର୍‌ଦାର ହୋଇଛି । ଅପରାଧିକ କାର୍ଯ୍ୟକଳାପରେ ରୋକ୍‌ ଲଗାଯାଉଛି । ଏହାସହିତ ପୁଲିସ ସମସ୍ତଙ୍କୁ ବିଶ୍ୱାସ ଦେଇଛି, ହକି ବିଶ୍ୱକପ ବେଳକୁ ସହର ପୂରା ସୁରକ୍ଷିତ ଥିବ। ଦେଶବିଦେଶର ଖେଳାଳି ଓ ଦର୍ଶକମାନେ ଏକ ବିଶ୍ୱସ୍ତରୀୟ ସୁରକ୍ଷା ବଳୟରେ ହକିର ମଜା ନେଇପାରିବେ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

ଡିସିପି ପ୍ରତୀକ୍‌ ଗୀତା ସିଂ ଏହି ଅପରେସନକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି । ଏନେଇ ସେ କହିଛନ୍ତି ଯେ, ହକି ବିଶ୍ୱକପ ଏକ ଆନ୍ତର୍ଜତୀୟ ମେଗା ଇଭେଣ୍ଟ । ଏଥିପାଇଁ ଭୁବନେଶ୍ବରରେ ଦେଶ ବିଦେଶର ହକିପ୍ରେମୀମାନଙ୍କ ଭିଡ଼ ଜମିବ । ସେମାନେ ଯେମିତି ଏକ ସୁରକ୍ଷିତ ସହରରେ ଅଛନ୍ତି, ଏହି ବିଶ୍ୱାସ ଦେବା ଦିଗରେ ଅପରେସନ ଆରମ୍ଭ ହୋଇଛି । ସହରରୁ ଅପରାଧ ଓ ଅସାମାଜିକ କାର୍ଯ୍ୟକଳାପକୁ ଏବେଠୁ ରୋକ୍‌ ଲଗାଇବାକୁ ହେବ ।

ଏହି ଲକ୍ଷ୍ୟରେ ପ୍ରତିଦିନ ହୋଟେଲ ଓ ଲଜ୍‌ ଚେକିଂ କରାଯାଉଛି । ହୋଟେଲକୁ ଆସୁଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖାଯାଉଛି । ସିସି କ୍ୟାମେରା ଯୋଗେ ସନ୍ଦିଗ୍ଧ ଗାଡି଼ ଯାତାୟାତ ଉପରେ ପୁଲିସ ନଜର ରଖୁଛି । ରେଳଷ୍ଟେସନ ଓ ବସ୍‌ଷ୍ଟାଣ୍ଡରେ ଯାତ୍ରୀବାହୀ ଗାଡି଼ଗୁଡି଼କୁ ରିତିମତ ଯାଞ୍ଚ କରାଯାଉଛି । ଖେଳପଡି଼ଆ କିମ୍ବା ଫାଙ୍କାସ୍ଥାନରେ ହେଉଥିବା ଖଟି, ଆଡ୍ଡାସ୍ଥଳରେ ବାରମ୍ବାର ଚଢ଼ାଉ ଚାଲିଛି । ସେଠାରୁ ଅପରାଧି ଶ୍ରେଣୀୟ ଲୋକ, ମଦୁଆମାନଙ୍କୁ ଥାନାକୁ ଉଠାଇ ନିଆଯାଉଛି । ଡ୍ରଗ୍ସ ବେପାରି କିମ୍ବା ଡ୍ରଗ୍ସ ସେବନକାରୀଙ୍କୁ କୌଣସିମତେ ନିସ୍ତାର ମିଳୁନି । ସେମାନଙ୍କୁ ଯଥା ସମ୍ଭବ ଗିରଫ କରାଯାଉଛି ।

ସେହିପରି ରାତିରେ ସହରର ବିଭିନ୍ନ ସ୍ଥାନରେ ନାକା ଓ ଚେକିଂ ପଏଣ୍ଟରେ ଜୋରଦାର ବ୍ଲକିଂ ଚେକିଂ ଚାଲିଛି । ଦୃତଗତିରେ ଗାଡି଼ଚାଳନା ଓ ମଦ୍ୟପମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଆଗାମୀ ବିଶ୍ୱକପ ବେଳେ ରାତିରେ ବାର୍‌, ପବ୍‌ ଓ କ୍ଲବଗୁଡି଼କ ମଧ୍ୟ ପୁଲିସ ସ୍କାନରରେ ରହିବେ । ସେଠାରେ ଯେମିତି ମଦ୍ୟପ ବ୍ୟକ୍ତି ବିଶୃଙ୍ଖଳିତ କାର୍ଯ୍ୟ ନ କରିବେ, ଅପରାଧିକ ବ୍ୟକ୍ତି ମେଳି ନ କରିବେ, ଏଥିପ୍ରତି ପୁଲିସ ନଜର ରଖିବ । ବିଶ୍ୱକପ୍‌ ବେଳେ ହକି ଖେଳ ଦେଖିବାକୁ ଅନେକ ଭିଆଇପି, ଭିଆଇଆଇପି ସହରକୁ ଆସିବେ । ସେମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ଡିସିପି କହିଛନ୍ତି ।

Related Posts