ଭୁବନେଶ୍ଵର,୨୮/୧୨(ସତ୍ୟପାଠ ବ୍ୟୁରୋ): ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ବସିଥିବା କ୍ୟାବିନେଟ୍‌ ବୈଠକରେ  ମୋଟ୍‌ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ରାଜ୍ୟର ବେସରକାରୀ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମଦ୍ରାସାର ଶିକ୍ଷକ ଓ କର୍ମଚାରୀମାନେ ଏଣିକି ସପ୍ତମ ବେତନ ହାରରେ ଦରମା ପାଇବେ। ୨୦୨୧ ମସିହା ଡିସେମ୍ବର ୩୧ସୁଦ୍ଧା ଶତ ପ୍ରତିଶତ ଅନୁଦାନ ପାଉଥିବା ବିଦ୍ୟାଳୟ ହିଁ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ। ଏହା ଦ୍ବାରା ୨୬,୧୬୪ଜଣ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ।ରାଜକୋଷରୁ ବାର୍ଷିକ ୨୮୦.୪୮କୋଟି ଟଙ୍କାର ଅତିରିକ୍ତ ବ୍ୟୟ ହେବ। ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ ଆଜି ରାଜ୍ୟ କ୍ୟାବିନେଟ୍ ମୋହର ବାଜିଛି।

ସେହିଭଳି କ୍ୟାବିନେଟ୍‌ର ନିଷ୍ପତ୍ତି ମୁତାବକ ‘ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ’ ଯୋଜନାରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଚୌଧୁରୀ ଗଡ଼ା ଗ୍ରାମ ନିକଟରେ ମହାନଦୀରେ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ତିଖିରି ଗ୍ରାମ ନିକଟରେ ପାଇକା ନଦୀରେ ଆନିକଟ ସେତୁ ନିର୍ମାଣ ହେବ। ଏହି ପ୍ରକଳ୍ପ ନିର୍ମାଣ ପାଇଁ ୩୪୪ କୋଟି ୬୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଓ ୩୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ। ଏହି ଦୁଇଟି ପ୍ରକଳ୍ପ କ୍ୟାବିନେଟ୍‌ର ଅନୁମୋଦନ ପାଇଛି। ପ୍ରକଳ୍ପ ଦ୍ବାରା ଜଗତସିଂହପୁର ଜିଲ୍ଲାସ୍ଥିତ କୁଜଙ୍ଗ ବ୍ଲକ୍‌, ପାରାଦୀପ ନଗରପାଳିକା ଓ କେନ୍ଦ୍ରାପଡ଼ା ଜିଲ୍ଲାସ୍ଥିତ ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ୍‌ର ୮୯ଟି ଗ୍ରାମର ଲୋକଙ୍କର ପାନୀୟ ଜଳ ଓ ଘରୋଇ ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ଜଳ ମିଳିବ।

ସେହିପରି ଜଳଜୀବନ ମିସନ୍ ଯୋଜନାରେ ଅନୁଗୁଳ ଜିଲ୍ଲାରେ ଦୁଇଟି ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପର ଟେଣ୍ଡର୍‌କୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଏହା ଦ୍ବାରା ଅନୁଗୁଳ ଓ ବଅଁରପାଳ ବ୍ଲକ୍‌ ଅଧୀନରେ ୪୮ଟି ପଞ୍ଚାୟତର ଲୋକ ବିଶୁଦ୍ଧ ପାନୀୟ ଜଳ ପାଇବେ।

କ୍ୟାବିନେଟ୍‌ରେ ଚାଷ ସଂକ୍ରାନ୍ତୀୟ ଦୁଇଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟକୁ ଆଳୁ, ପିଆଜ, ପନିପରିବା ଓ ମସଲା ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ଓ ଚାଷୀଙ୍କ ରୋଜଗାର ବୃଦ୍ଧି କରିବା ନିମନ୍ତେ ‘ଆଳୁ, ପନିପରିବା ଓ ମସଲା ଉନ୍ନୟନ ଯୋଜନା’ କାର୍ଯ୍ୟକାରୀ କରାଯିବ। ଏ ବାବଦରେ ୪ ବର୍ଷରେ ୧୧୪୨.୨୪ କୋଟି ଟଙ୍କା ବ୍ୟୟ କରାଯିବ। କୃଷିରେ ମହିଳା ସଶକ୍ତୀକରଣ ସହ ରାଜ୍ୟରେ ଛତୁ ଚାଷକୁ ଦ୍ବିଗୁଣିତ କରିବା ପାଇଁ ଯୋଜନା ପ୍ରଣୟନ କରାଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ୫ ବର୍ଷରେ ୩୬୭.୧୯ କୋଟି ଟଙ୍କାର ବ୍ୟୟ ଅଟକଳ ଅନୁମୋଦନ କରାଯାଇଛି।

ସେହିପରି ଲଘୁ ଖଣିଜ ପଦାର୍ଥର ବିକାଶ ଓ ନିୟନ୍ତ୍ରଣ ପ୍ରକ୍ରିୟା ଆଉ ରାଜସ୍ବ ବିଭାଗ ହାତରେ ରହିବନି। ଏହା ଇସ୍ପାତ ଓ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଛି। ଏହି ପରିବର୍ତ୍ତିତ ବ୍ୟବସ୍ଥାର ସୁନିୟନ୍ତ୍ରଣ ପାଇଁ ଓଏମ୍ଏମ୍‌ସି ରୁଲ୍‌ସ୍‌, ୨୦୧୬ରେ ସଂଶୋଧନ କରାଯାଇଛି। ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବ କ୍ୟାବିନେଟ୍‌ରେ ପାରିତ ହୋଇଛି।

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍‌ର ଜଳକରର ସୁଧ ବାବଦକୁ ୨୨୦ କୋଟି ୬୭ ଲକ୍ଷ ଟଙ୍କା ଛାଡ଼ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି।ଏ ସମ୍ପର୍କରେ ସରକାରଙ୍କ ଯୁକ୍ତି ହେଲା, ୧୯୯୪ରୁ ୨୦୧୩ ମସିହା ମଧ୍ୟରେ ଆର୍ଏସ୍ପିର ଜଳକର ବାବଦକୁ ମୂଳଜମା ୭୧ କୋଟି ୪୬ ଲକ୍ଷ ଓ ସୁଧ ପରିମାଣ ୨୨୦ କୋଟି ୬୭ ଲକ୍ଷ ଟଙ୍କା ବାକି ରହିଛି। ଶିଳ୍ପର ଆବଶ୍ୟକତା ଓ ଟାଉନ୍‌ସିପ୍‌ରେ ଘରୋଇ ବ୍ୟବହାର ନିମନ୍ତେ ଶଙ୍ଖ ନଦୀ ଉପରେ ମନ୍ଦିରା ଡ୍ୟାମ୍‌ର ନିର୍ମାଣ ଆର୍‌ଏସ୍‌ପି ନିଜସ୍ବ ଖର୍ଚ୍ଚରେ କରିଥିଲା। ଏହି ଡ୍ୟାମ୍‌ର ରକ୍ଷଣାବେକ୍ଷଣ ବି ଆର୍‌ଏସ୍‌ପି କରୁଛି। ସେଥି ପାଇଁ ଆର୍‌ଏସ୍‌ପିର ଅନୁରୋଧକ୍ରମେ ସୁଧ ଛାଡ଼ ହେଲେ ମୂଳଜମା ପରିଶୋଧ କରିବ।

ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ତହସିଲ୍ ଅନ୍ତର୍ଗତ ସମରଝୋଲାରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠା ନିମନ୍ତେ ବାର୍ଷିକ ଭୂ ରାଜସ୍ବ ଓ ସେସ୍‌ର ପୁନଃନିର୍ଦ୍ଧାରଣ ପ୍ରସ୍ତାବ କ୍ୟାବିନେଟ୍‌ରେ ପାରିତ ହୋଇଛି। ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ନୀତି-୨୦୨୨ କ୍ୟାବିନେଟ୍ ସ୍ବୀକୃତି ପାଇଛି। ଓଡ଼ିଶା ଦନ୍ତ ଡାକ୍ତରୀ ସେବା ନିୟମାବଳୀ,୨୦୨୨, ଉଚ୍ଚ ମାଧ୍ୟମିକ ସ୍ତର କିମ୍ବା ସମାନ ସ୍ତର ଅଧୀନସ୍ଥ ସ୍ବତନ୍ତ୍ର ସେବା ଓ ପଦବି ପାଇଁ ମିଳିତ ନିଯୁକ୍ତି ପରୀକ୍ଷା ନିୟମାବଳୀ, ୨୦୨୨, ଓଡ଼ିଶା ଅମଲା ସେବା ନିୟମାବଳୀ, ୨୦୧୯ର ସଂଶୋଧନ ପ୍ରସ୍ତାବ କ୍ୟାବିନେଟ୍‌ରେ ପାରିତ ହୋଇଛି।

କ୍ୟାବିନେଟ୍ ନିଷ୍ପତ୍ତି ମୁତାବକ ୧୯୭୨ ଅପହଞ୍ଚ ଗ୍ରାମଗୁଡ଼ିକରେ ୪-ଜି ମୋବାଇଲ୍ ଭିତ୍ତିଭୂମି ଯୋଗାଇବା ପାଇଁ ବିଏସ୍ଏନ୍ଏଲ୍‌କୁ ୩୦ ବର୍ଷ ପାଇଁ ରାଜ୍ୟର ୧୬୮୭ ସ୍ଥାନରେ ୨୦୦୦ ବର୍ଗଫୁଟ ମାପର ସରକାରୀ ଜମି ପ୍ରିମିୟମ ମୁକ୍ତ ଓ ଆନୁଷ୍ଠାନିକ ଦେୟମୁକ୍ତରେ ବ୍ୟବହାର ନିମନ୍ତେ ଅନୁମତି ଦିଆଯିବ। ସେହିପରି ବିଶ୍ବବ୍ୟାଙ୍କ ଋଣ ସହାୟତାରେ ‘ଓଡ଼ିଶା ରାଜ୍ୟ ଦକ୍ଷତା ଓ ସ୍ଥିର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମ’ କାର୍ଯ୍ୟକାରୀ କରାଯିବ। ଏହି ପ୍ରକଳ୍ପର ଅବଧି ୫ ବର୍ଷ ଓ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୧୮୩ କୋଟି ଟଙ୍କା।