ଝୋଟ ବ୍ୟାଗ କିଣାରେ ୨ଶହ କୋଟିର ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

 ଭୁବନେଶ୍ୱର,୨୩/୨(ସତ୍ୟପାଠ ବ୍ୟୁରୋ):  ରାଜ୍ୟ ସରକାରଙ୍କ ଦ୍ବାରା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସାମଗ୍ରୀ ପାଉଥିବା ପରିବାରକୁ ୨ଟି ଝୋଟ ବ୍ୟାଗ ଦେବା ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାର ଏଥିପାଇଁ ୨କୋଟି ବ୍ୟାଗ କିଣିବେ। ହେଲେ ଏହି ବ୍ୟାଗ କିଣାରେ ୨ଶହ କୋଟିର ବଡ଼ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ରାଜ୍ୟ କଂଗ୍ରେସ। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥୀ କହିଲେ, ୧କୋଟି ପରିବାରକୁ ୨ଟି ଝୋଟ ବ୍ୟାଗ ଦିଆଯିବ ଓ ଏଥିପାଇଁ ୩ଶହ କୋଟିର ବ୍ୟୟ ଅଟକଳ କରାଯାଇଛି।

ସରକାର ଯେଉଁ ବ୍ୟାଗ ଦେଉଛନ୍ତି ତାହାର ବଜାର ମୂଲ୍ୟ ଅତିବେଶୀରେ ଶହେ ଟଙ୍କା ହେବ। ବଜାରରେ ଶହେ ଟଙ୍କାରେ ଝୋଟ ବ୍ୟାଗ ମିଳୁଥିବା ‌ବେଳେ ରାଜ୍ୟ ସରକାର ଗୋଟିଏ ବ୍ୟାଗ ପିଛା ୧୫୦ ଟଙ୍କା କିଭଳି ଖର୍ଚ୍ଚ କରୁଛନ୍ତି ? ସେହିପରି ହୋଲ୍‌ସେଲ୍‌ ଦରରେ କିଣିଲେ ବ୍ୟାଗ ଦରର କ୍ରୟ ମୂଲ୍ୟ ଅଧାରୁ ବି କମ୍ ହୋଇଥାଏ। ତେଣୁ ଟେଣ୍ଡର ଜରିଆରେ ରାଜ୍ୟ ସରକାର ଯେଉଁ ବ୍ୟାଗ କିଣୁଛନ୍ତି ତାହା ଅତି ବେଶୀରେ ୫୦ ଟଙ୍କା ହେବ। ଅର୍ଥାତ ଗୋଟିଏ ବ୍ୟାଗ ପିଛା ଶହେ ଟଙ୍କାର ଘୋଟାଲା ହେଉଛି। ତେଣୁ ୨କୋଟି ବ୍ୟାଗ ପିଛା ସରକାର ୨ଶହ କୋଟିର ଘୋଟାଲା କରିବା ପାଇଁ ବ୍ୟବସ୍ଥା କରିଛନ୍ତି।

ସେ ଆହୁରିମଧ୍ୟ କହିଥିଲେ ଯେ ରାଜ୍ୟ ସରକାର ଝୋଟ ବ୍ୟାଗ କେଉଁ ରାଜ୍ୟ, କେଉଁ କମ୍ପାନି ଓ ବାସ୍ତବରେ କେତେ ଟଙ୍କାରେ ଆଣୁଛନ୍ତି ତାହାର ହିସାବ ସାର୍ବଜନୀନ କରନ୍ତୁ। ନବୀନ ବାବୁଙ୍କ ସମୟରେ ହିଁ ରାଜ୍ୟରେ ସବୁ ଝୋଟ କଳ ବନ୍ଦ ହୋଇଯାଇଛି। ପରିବେଶକୁ ପଲିଥିନ ମୁକ୍ତ କରିବା ପାଇଁ ଦୁଇଟି ଝୋଟ ବ୍ୟାଗ ବଣ୍ଟନ କରାଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଉଛି। ହେଲେ ବିଜେଡି ସରକାର, ମୁଖ୍ୟମନ୍ତ୍ରୀ ଓ ଦଳୀୟ ନେତାଙ୍କ ଫଟୋ ଥିବା ବ୍ୟାନର, ପୋଷ୍ଟର, ପତାକା ଓ ବଡ଼ ବଡ଼ ହୋର୍ଡିଂ ଆଦି ପଲିଥିନ ଯୁକ୍ତ ନା ପଲିଥିନ ମୁକ୍ତ ? ଏହାସହ ଉତ୍କଟ ଦର ବୃଦ୍ଧିରୁ ଆଶ୍ବସ୍ତି ପାଇବା ପାଇଁ ହଜାର ଟଙ୍କା ପ୍ରତି ରାସନ କାର୍ଡଧାରୀ ପରିବାରକୁ ଦିଆଯିବା ନିଷ୍ପତ୍ତି ତାହା ସାଧାରଣ ଜନତାଙ୍କ ପ୍ରତି ଉପହାସ। ବର୍ତ୍ତମାନର ଗ୍ୟାସ ସିଲିଣ୍ଡର ଦର ହଜାର ଟଙ୍କାରୁ ଅଧିକ ଥିବା ବେଳେ ନିର୍ବାଚନ ଦୁଇ ମାସ ଥାଇ ସରକାରଙ୍କ ଦରଦାମ ବୃଦ୍ଧି କଥା ମନେ ପଡ଼ିବା ହାସ୍ୟାସ୍ପଦ। ଏହା କେବଳ ଭୋଟ ହାତେଇବା ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀ ଶତପଥୀ ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅମୀୟ ପାଣ୍ଡବ ଓ ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ।

Related Posts