ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ୨୦ ହଜାରରୁ ଉର୍ଦ୍ଧ୍ବ ଲୋକ କୋଭିଡ୍ରେ ପ୍ରାଣ ହରାଇଛନ୍ତି। ୨୦୨୦ରୁ ୨୦୨୨ ମଧ୍ୟରେ କୋଭିଡ୍ରେ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯାଇଛି । ଗୁରୁବାର ଦିନ ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ତଥ୍ୟ ଦେଇଛନ୍ତି। କିନ୍ତୁ ସ୍ବାସ୍ଥ୍ୟ ବିଭାଗର କୋଭିଡ୍ ଡାସ୍ବୋର୍ଡରେ ଆଜିର ତଥ୍ୟ ହେଉଛି କୋଭିଡ୍ରେ ମୃତ୍ୟୁ ସଂଖ୍ୟା ୯,୨୦୪। ରାଜ୍ୟ ସରକାରଙ୍କର ଦୁଇଟି ବିଭାଗର ଏମିତି ତଥ୍ୟ ଏବେ ଲୋକଙ୍କୁ ଦ୍ବନ୍ଦ୍ବରେ ପକାଇ ଦେଇଛି।ବାସ୍ତବରେ ରାଜସ୍ବ ମନ୍ତ୍ରୀ ବିଧାନସଭାରେ ଭୁଲ୍ ତଥ୍ୟ ଦେଲେ ନା ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଲୁଚାଉଛି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ତେବେ ରାଜ୍ୟରେ ୨୦୧୨ ପରଠାରୁ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀରେ କେତେ ଲୋକ ମରିଛନ୍ତି ଓ କ୍ଷୟକ୍ଷତି କେତେ ହୋଇଛି ବୋଲି ବିଧାୟକ ନବଚରଣ ମାଝୀଙ୍କ ଏକ ପ୍ରଶ୍ନ କରିଥିଲେ। ଏହାର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ରାଜ୍ୟରେ ବନ୍ୟା, ବାତ୍ୟା, ମରୁଡ଼ି, ପ୍ରବଳ ବର୍ଷାରେ ୧୦ ବର୍ଷ ଭିତରେ ୨୨୭ଜଣଙ୍କ ପ୍ରାଣହାନୀ ଘଟିଛି। ୨୦୧୩ରେ ବାତ୍ୟା ଫାଇଲିନ୍ରେ ୨୨ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୦୧୪ରେ ହୁଡହୁଡରେ ୩ ଜଣ, ୨୦୧୮ରେ ବାତ୍ୟା ତିତିଲିରେ ୭୨ଜଣ, ୨୦୧୯ ଫନିରେ ୬୪ ଜଣ, ୨୦୨୧ରେ ବାତ୍ୟା ୟସ୍ରେ ୩ ଜଣ ମୃତ୍ୟୁବରଣ କରିଛନ୍ତି।
ତେବେ ବାତ୍ୟା ଅମ୍ଫାନ୍, ବୁଲବୁଲ, ଗୁଲାବ ଓ ଜୱାଦରେ କାହାରି ଜୀବନ ଯାଇନି। ୨୦୧୨ରୁ ଅଦ୍ୟାବଧି ହୋଇଥିବା ବନ୍ୟା, ବାତ୍ୟା, ମରୁଡ଼ି ଓ ପ୍ରବଳ ବର୍ଷାରେ ୪୦ ହଜାର କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। ୨୦୧୨ ଓ ୨୦୧୬ ମସିହାରେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ହୋଇନାହିଁ। ଫାଇଲିନ୍ ବାତ୍ୟାରେ ସର୍ବାଧିକ ୧୪ ହଜାର ୩୭୩କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ଫନିରେ ୯ହଜାର ୩୩୬କୋଟି ଟଙ୍କା କ୍ଷୟକ୍ଷତି ହୋଇଛି। କେନ୍ଦ୍ରରୁ ପ୍ରାୟ ୬,୩୦୦ କୋଟି ଟଙ୍କାର ସହାୟତା ମିଳିଛି।
