କୋଭିଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କା କ୍ଷତିପୂରଣ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ-୧୯ ମହାମାରୀରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି । ଏ ନେଇ ଗତକାଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟମାନେ ୫୦,୦୦୦ ଟଙ୍କା କ୍ଷତିପୂରଣ ଭାବେ ପାଇବେ । ଏଥିରେ ସବୁ ରାଜ୍ୟର ସରକାର ମାନେ ମଧ୍ୟ ସହଯୋଗ କରିବେ । ଆଗକୁ ମଧ୍ୟ ଯାହାର ମୃତ୍ୟୁ ହେବ କରୋନାରେ, ତାଙ୍କ ପରିବାରକୁ ଏହି ସହାୟତା ମିଳିବ ।

ଏଭଳି ଏକ ସତ୍ୟପାଠ ଦାଖଲ କରି ସୁପ୍ରିମକୋର୍ଟକୁ ଏହା ଅବଗତ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ କରୋନା ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ ମାନଙ୍କୁ ନ୍ୟାସନାଲ ଡ଼ିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ୫୦,୦୦୦ ଟଙ୍କା କ୍ଷତିପୂରଣ ଭାବେ ସୁପାରିଶ କରିଛି।ଜିଲ୍ଲା ପ୍ରଶାସନ ଜରିଆରେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଏହି ସହାୟତା ଦିଆଯିବ । ସରକାର କହିଛନ୍ତି ଯେ ଯଦି ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ କରୋନା ଲେଖାହୋଇଥାଏ, ତେବେ ମୃତକଙ୍କ ସମ୍ପର୍କୀୟଙ୍କୁ ସହାୟତା ପ୍ରଦାନ କରାଯିବ।

ଉଲ୍ଲେଖଯୋଗ୍ୟ ଯେ, ସୁପ୍ରିମକୋର୍ଟରେ ବିଭିନ୍ନ ଆବେଦନ ଶୁଣାଣି ପୂର୍ବରୁ କେନ୍ଦ୍ର ସରକାର କହିଥିଲେ ଯେ କରୋନା ଯୋଗୁଁ ହୋଇଥିବା ସମସ୍ତଙ୍କ ମୃତ୍ୟୁକୁ ନେଇ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେଇହେବ ନାହିଁ। ତେଣୁ ନ୍ୟାୟାଳୟ ମଧ୍ୟ ସରକାରଙ୍କ ଏହି ପ୍ରସଙ୍ଗରେ ସହମତି ପ୍ରକାଶ କରିଥିଲେ। କିନ୍ତୁ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ କ୍ଷତିପୂରଣ ସ୍ଥିର କରିବା ପାଇଁ କଣ କରାଯାଇଛି ସେ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ କୋର୍ଟ ପ୍ରଶ୍ନ କରିଥିଲେ। ଏ ବିଷୟରେ କୋର୍ଟଙ୍କୁ ଅବଗତ ସଲିସିଟର ଜେନେରାଲ କୋର୍ଟଙ୍କୁ କହିଛନ୍ତି ଯେ ଏହି ବିବରଣୀ ସେପ୍ଟେମ୍ବର ୨୩ ରେ କୋର୍ଟରେ ଦାଖଲ କରାଯିବ ।

Related Posts