୨୦୧୮ ଭୀମା କୋରେଗାଓଁ ମାମଲା: ଅଭିଯୁକ୍ତ ବରବରା ରାଓଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ୨୦୧୮ ଭୀମା କୋରେଗାଓଁ ମାମଲାରେ ଅଭିଯୁକ୍ତ ସାମାଜିକ କର୍ମୀ ତଥା ଲେଖକ ବରବରା ରାଓଙ୍କୁ ମିଳିଲା ଆଶ୍ୱସ୍ତି । ସ୍ୱାସ୍ଥ୍ୟଗତ କାରଣଙ୍କୁ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ସୂଚନା ଅନୁସାରେ, ପୂର୍ବରୁ ଦିଆଯାଇଥିବା ଅନ୍ତରୀଣ ଜାମିନକୁ ସୁପ୍ରିମକୋର୍ଟ ନିୟମିତ କରାଇଛନ୍ତି । ଜଷ୍ଟିସ ୟୁୟୁ ଲଲିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଦେବା ସହ ସର୍ତ୍ତ ରଖିଛନ୍ତି । ନିଜ ସ୍ୱାଧୀନତାର ଭୁଲ ବ୍ୟବହାର ନ କରିବା ପାଇଁ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି ।

ସ୍ୱାସ୍ଥ୍ୟଗତ କାରଣରୁ ଅନ୍ତରୀଣ ଜାମିନରେ ଥିବା ରାଓ ଆସନ୍ତା ଜୁଲାଇ ୧୨ରେ ଆତ୍ମସପର୍ମଣ କରିଥାନ୍ତେ । ଏବେ ସୁପ୍ରିମକୋର୍ଟ ନିୟମିତ ଜାମିନ ପ୍ରଦାନ କରି ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ତାଙ୍କୁ ସୁରକ୍ଷା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୨୦୧୭ ଡିସେମ୍ୱର ୩୧ରେ ପୁନେରେ ଆୟୋଜିତ ଇଲଗର ପରିଷଦ ବୈଠକରେ ବରବରା ରାଓ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଥିଲେ । ଏହାର ଗୋଟିଏ ଦିନ ପରେ ପଶ୍ଚିମ ମହାରାଷ୍ଟ୍ରର ଭୀମା କୋରେଗାଓଁରେ ହିଂସା ହୋଇଥିଲା ବୋଲି ପୋଲିସ ଦାବି କରିଛି । ପୁନେ ପୋଲିସର ଦାବି ଥିଲା ମାଓବାଦୀଙ୍କ ସହ ବୈଠକର ଆୟୋଜକଙ୍କ ସମ୍ପର୍କ ରହିଛି । ପରେ ରାଷ୍ଟ୍ରୀୟ ତଦନ୍ତାକାରୀ ଏଜେନ୍ସିକୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା।

୨୦୧୮ ଅଗଷ୍ଟ ୨୮ରେ ନିଜର ହାଇଦ୍ରାବାଦ ସ୍ଥିତ ବାସଭବନରୁ ବରବରା ରାଓଙ୍କୁ ପୋଲିସ ଗିରଫ କରିଥିଲା ।

Related Posts