୨୦୨୨ ନୋବେଲ ଦୌଡ଼ରେ ଅଲ୍ଟ ନ୍ୟୁଜ୍ ପ୍ରତିଷ୍ଠାତା ମହମ୍ମଦ ଜୁବେର ଓ ପ୍ରତୀକ ସିହ୍ନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଫ୍ୟାକ୍ଟ ଚେକର୍ସ ମହମ୍ମଦ ଜୁବେର ଏବଂ ପ୍ରତୀକ ସିହ୍ନା ଚଳିତ ବର୍ଷ ନୋବେଲ୍ ଶାନ୍ତି ପୁରସ୍କାର ଦାବିଦାରଙ୍କ ଦୌଡ଼ରେ ସାମିଲ୍ ହୋଇଛନ୍ତି। ଟାଇମ୍‌ ମ୍ୟାଗଜିନ୍‌ର ରିପୋର୍ଟରେ ଏହି ଦାବି କରାଯାଇଛି। ରୟଟର୍ସର ସର୍ବେକ୍ଷେଣରେ ଜୁବେର ଏବଂ ପ୍ରତୀକଙ୍କ ନାମ ଦାବିଦାରଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛି।ଚଳିତ ବର୍ଷର ନୋବେଲ୍ ପୁରସ୍କାର ଆସନ୍ତା ଶୁକ୍ରବାର ନରଓ୍ଵେର ରାଜଧାନୀ ଓସ୍ଲୋରେ ପ୍ରଦାନ କରାଯିବ।

ମହମ୍ମଦ ଜୁବେର ଏବଂ ପ୍ରତୀକ ସିହ୍ନା ଅଲ୍‌ଟ ନ୍ୟୁଜ୍ ନାମକ ଏକ ଓ୍ଵେବସାଇଟ୍‌ର ପ୍ରତିଷ୍ଠାତା ଅଟନ୍ତି। ଏହାରି ମାଧ୍ୟମରେ ସେମାନେ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ କଥିତ ଫେକ୍ ନ୍ୟୁଜ୍‌ର ସମୀକ୍ଷା କରିଥାନ୍ତି। ଟାଇମ୍ ମ୍ୟାଗଜିନ୍ ର ରିପୋର୍ଟ ଅନୁସାରେ ଫ୍ୟାକ୍ଟ ଚେକ୍ ଓ୍ଵେବସାଇଟ୍‌ ଅଲ୍‌ଟ ନ୍ୟୁଜ୍‌ର ସହ ସଂସ୍ଥାପକ ପ୍ରତୀକ ଏବଂ ଜୁବେର ଦାବିଦାରଙ୍କ ମଧ୍ୟରେ ଆଗରେ ରହିଛନ୍ତି। ସେମାନଙ୍କୁ ନରଓ୍ଵେ ସାଂସଦଙ୍କ ସମର୍ଥନ ରହିଛି।

ତେବେ ନିକଟରେ ଜୁବେରଙ୍କ ଗିରଫଦାରୀର ମାମଲା ପୂରା ଦୁନିଆରେ ଚର୍ଚ୍ଚାରେ ରହିଥିଲା। ତାଙ୍କ ଗିରଫଦାରୀକୁ ଅନେକ ସଂସ୍ଥା ବିରୋଧ ମଧ୍ୟ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଜୁନ ମାସରେ ମହମ୍ମଦ ଜୁବେରଙ୍କୁ ୨୦୧୮ରେ କରିଥିବା ଏକ ଟୁଇଟ୍‌ ପାଇଁ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ଦିଲ୍ଲୀ ପୋଲିସ୍‌ ତାଙ୍କ ଉପରେ ଧର୍ମ ଆଧାରରେ ଘୃଣା ପ୍ରଚାର କରିବା ଏବଂ ଧାର୍ମିକ ଭାବାବେଗକୁ ଜାଣିଶୁଣି ଆଘାତ କରିବା ଅଭିଯୋଗରେ ମାମଲା ରୁଜୁ କରିଥିଲା। ଗିରଫଦାରୀ ପରେ ପାଖାପାଖି ଗୋଟିଏ ମାସ ଜେଲ୍‌ରେ ରହିବା ପରେ ଜୁବେରଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା।

ସୂଚନା ଅନୁସାରେ, ୨୦୨୨ର ନୋବେଲ୍ ଶାନ୍ତି ପୁରସ୍କାର ଦୌଡରେ ପାଖାପାଖି ୩୪୩ ଜଣ ଆଶାୟୀ ରହିଛନ୍ତି। ଏଥିରେ ୨୫୧ ଜଣ ବ୍ୟକ୍ତିବିଶେଷ ଏବଂ ୯୨ଟି ସଂଗଠନ ରହିଛନ୍ତି। ନୋବେଲ୍ କମିଟି ମନୋନୀତ ଲୋକଙ୍କ ନାମ ଘୋଷଣା କରନ୍ତି ନାହିଁ। ଏହାର ସୂଚନା ମିଡିଆ ଏବଂ ଆଶାୟୀଙ୍କୁ ମଧ୍ୟ ଦିଆଯାଇନଥାଏ।

Related Posts