ଷ୍ଟକହୋମ, (ସତ୍ୟପାଠବ୍ୟୁରୋ): ୨୦୨୬ ମସିହାରେ ଅର୍ଥନୀତି କ୍ଷେତ୍ରରେ ୨ ଜଣ ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ୍ ଓ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିତ ଭାବେ ପ୍ରତିଷ୍ଠିତ ନୋବେଲ ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଷ୍ଟକହୋମସ୍ଥିତ ରୟାଲ୍ ସ୍ଵିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି । ସମଗ୍ର ଅର୍ଥନୀତିର ସ୍ଥିରତା ରକ୍ଷା କରିବା ଦିଗରେ ସେମାନଙ୍କର ଗବେଷଣା, ବିଶେଷ କରି “ମାକ୍ରୋଇକୋନୋମିକ୍ ଷ୍ଟାବିଲାଇଜେସନର ମାଇକ୍ରୋଇକୋନୋମିକ୍ ମୂଳଦୁଆ” କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନଙ୍କୁ ଏହି ସମ୍ମାନଜନକ ପୁରସ୍କାର ଦିଆଯାଇଛି । ଏହି ପୁରସ୍କାର ବାବଦକୁ ସେମାନଙ୍କୁ ମିଳିତ ଭାବେ ୧୨ ମିଲିୟନ ସ୍ଵିଡିସ୍ କ୍ରୋନର୍ (ପ୍ରାୟ ୧.୨ ମିଲିୟନ ଆମେରିକୀୟ ଡଲାର)ର ଆର୍ଥିକ ରାଶି ପ୍ରଦାନ କରାଯିବ। ହଲ୍ କାଲିଫର୍ନିଆର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଉଡଫୋର୍ଡ ନ୍ୟୁୟର୍କର କଲମ୍ବିଆ ବିଶ୍ୱବିଦ୍ୟାଳୟରେ ପ୍ରଫେସର୍ ଅଛନ୍ତି ।