୨୦୨୪ ନିର୍ବାଚନ ପରେ ହେବ ଜନଗଣନା ସହ ସୀମା ପୁନଃନିର୍ଦ୍ଧାରଣ: ଅମିତ ଶାହ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମହିଳା ସଂରକ୍ଷଣ ବିଲ୍ କାର୍ଯ୍ୟକାରୀ ବିଳମ୍ବ ହେବା ପ୍ରସଙ୍ଗରେ ବିରୋଧୀ ସାଂସଦମାନେ ବିଜେପିକୁ ଘେରିଥିବାବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଏହାର ଜବାବ ରଖିଛନ୍ତି। ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌ ଉପରେ ଆଲୋଚନା ସମୟରେ ଶାହ କହିଛନ୍ତି, ପରବର୍ତ୍ତୀ ସରକାର ୨୦୨୪ ଲୋକସଭା ନିର୍ବାଚନ ପରେ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା‌ ଆରମ୍ଭ କରିବେ।

ଶାହ କହିଛନ୍ତି ଯେ, ମହିଳା ସାଂସଦଙ୍କ ପାଇଁ ୧ ତୃତୀୟାଂଶ ଆସନ ସଂରକ୍ଷଣ ହେବ। ତେଣୁ ଏହି ଆସନଗୁଡ଼ିକ ଉପରେ କିଏ ନିଷ୍ପତ୍ତି ନେବ। ଏଠି ସ୍ବଚ୍ଛତାର ପ୍ରଶ୍ନ ଉଠୁଛି। କେବଳ ସୀମା ପୁନଃ ନିର୍ଦ୍ଧାରଣ କମିଶନ ହିଁ ମହିଳାଙ୍କ ପାଇଁ କେଉଁ ଆସନ ସଂରକ୍ଷଣ ରହିବ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ। ଜନଗଣନା ତଥ୍ୟ ଉପରେ ହିଁ ଏସବୁ ନିଷ୍ପତ୍ତି ନିର୍ଭର କରୁଛି। ତେବେ ପରବର୍ତ୍ତୀ ଲୋକସଭା ନିର୍ବାଚନ ପରେ ଜନଗଣନା ଏବଂ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶାହ କହିଛନ୍ତି। ସୀମା ପୁନଃ ନିର୍ଦ୍ଧାରଣ କମିସନ୍‌ରେ ଜଣେ ସୁପ୍ରିମକୋର୍ଟ ବିଚାରପତି, ନିର୍ବାଚନ କମିସନ୍‌ର ଜଣେ ପ୍ରତିନିଧି ଏବଂ ପ୍ରତି ରାଜନୈତିକ ଦଳର ଜଣେ ପ୍ରତିନିଧି ରହିବେ। ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ କରି ଶାହ କହିଛନ୍ତି, ଦେଶରେ ନିଷ୍ପତ୍ତି ନିର୍ଦ୍ଧାରଣ ଏବଂ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣକୁ ଏହି ବିଲ୍‌ ସୁନିଶ୍ଚିତ କରୁଛି। ଶାହ କହିଛନ୍ତି, ପ୍ରଥମ ଥର ପାଇଁ ମହିଳା ସଂରକ୍ଷଣ ବିଲ୍‌ ଆସିନାହିଁ। ମହିଳା ସଂରକ୍ଷଣ ବିଲ୍‌ ଆସିବାରେ ଏହା ପଞ୍ଚମ ଉଦ୍ୟମ। ଦେବଗୌଡ଼ାଜୀଙ୍କଠାରୁ ଆରମ୍ଭ କରି ମନମୋହନ ସିଂହଙ୍କ ପର୍ଯ୍ୟନ୍ତ ଏହି ବିଲ୍‌ ଆଣିବାପାଇଁ ୪ ଥର ଉଦ୍ୟମ ହୋଇଛି ବୋଲି ଶାହ କହିଛନ୍ତି। ପରିଶେଷରେ ଅମିତ ଶାହ ସର୍ବସମ୍ମତି କ୍ରମେ ଉଭୟ ଗୃହରେ ବିଲ୍‌ ଗୃହୀତ କରିବାପାଇଁ ବିରୋଧୀଙ୍କୁ ଅନୁରୋଧ କରିଛନ୍ତି।

Related Posts