ଟିଏମସିର ୨୧ ବିଧାୟକ ଏବେ ବି ମୋ ସମ୍ପର୍କରେ ଅଛନ୍ତି, ଉଚିତ୍ ସମୟକୁ ଅପେକ୍ଷା କରନ୍ତୁ: ମିଥୁନ ଚକ୍ରବର୍ତ୍ତୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତାରୁ ନେତା ବନିଥିବା ମଥୁନ ଚକ୍ରବର୍ତ୍ତୀ। ମିଥୁନ ପୁଣିଥରେ ପଶ୍ଚିମବଙ୍ଗ ରାଜନୀତିକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମସି)ର ୨୧ ଜଣ ବିଧାୟକ ଏବେ ବି ତାଙ୍କ ସହ ସିଧାସଳଖ ଯୋଗାଯୋଗରେ ରହିଥିବା ସେ ଦାବି କରିଛନ୍ତି। କୋଲକାତାରେ ଥିବା ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ମିଥୁନ କହିଛନ୍ତି, “୨୧ ଟିଏମସି ବିଧାୟକ ଏବେ ବି ମୋ ସହ ଯୋଗାଯୋଗରେ ଅଛନ୍ତି। ପୂର୍ବରୁ ମୁଁ ଏକଥା କହିଥିଲି ଓ ଆଜି ପୁଣି ମୁଁ ଏହା ଦୋହରାଉଛି। ମୁଁ ମୋ ବୟାନରେ କାଏମ ରହିଛି। ଆପଣମାନେ କେବଳ ସମୟକୁ ଅପେକ୍ଷା କରନ୍ତୁ। ମୁଁ ଜାଣିଛି ଆମ ଦଳ ଭିତରେ ଟିଏମସିର ନେତାମାନଙ୍କୁ ନେବାରେ ବିରୋଧାଭାଷ ରହିଛି। ଅନେକ କହୁଛନ୍ତି ଆମେ ପଚା ଆଳୁକୁ ନେବୁ ନାହିଁ। ହେଲେ ମୁଁ କହିଛି ଯେ ମୁଁ ସେଭଳି ମୁର୍ଖ ନୁହେଁ। ପୂର୍ବଭଳି ଭୁଲ ହେବନାହିଁ ବୋଲି ସେମାନଙ୍କୁ କହିଛି।”

ଦୁର୍ଗା ପୂଜା ପୂର୍ବରୁ ମିଥୁନ ଚକ୍ରବର୍ତ୍ତୀ କୋଲକାତାରେ ବିଜେପି ନେତାମାନଙ୍କୁ ଭେଟିବାକୁ କୋଲକାତା ଆସିଛନ୍ତି। ଏହି ସମୟରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ତାଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ଯେ କ’ଣ ବିଜେପିରେ ଯୋଗ ଦେବାକୁ ଥିବା ଟିଏମସି ବିଧାୟକଙ୍କ ସଂଖ୍ୟା ବୃଦ୍ଧି ପାଇଲାଣି? ଏହାର ଜବାବରେ ମିଥୁନ କହିଛନ୍ତି, “ମୁଁ ଆପଣମାନଙ୍କୁ ପ୍ରକୃତ ସଂଖ୍ୟା କହିବନି ନାହିଁ। କିନ୍ତୁ ଏହା ୨୧ ଠାରୁ କମ ନୁହେଁ ବୋଲି ଆପଣମାନେ ମନେ ରଖନ୍ତୁ।”

ନିକଟରେ ମମତା ବାନାର୍ଜୀ ସିବିଆଇ ଓ ଇଡିର ଅପବ୍ୟବହାରକୁ ନେଇ ଦେଇଥିବା ବୟାନ ଉପରେ ମଧ୍ୟ ମିଥୁନ ପ୍ରତିକ୍ରିୟା ଦେଇଛନ୍ତି। ମମତା କହିଥିଲେ ଯେ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କୌଣସି ଭୂମିକା ନାହିଁ। ସବୁ କିଛି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କରୁଛନ୍ତି ବୋଲି ସେ କହିଥିଲେ। ଏ ସମ୍ପର୍କରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ପଚରାଯିବାରୁ ସେ କହିଛନ୍ତି, “ହଁ, ମୁଁ ଭାବୁଛି ଦିଦି ଠିକ୍ କହିଛନ୍ତି। ପ୍ରକୃତିରେ ପ୍ରଧାନମନ୍ତ୍ରୀ କିଛି କରୁ ନାହାନ୍ତି। ସବୁ କିଛି କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ହେଉଛି। ଆମେ କ’ଣ କରିପାରିବୁ? ବିଜେପିର ବେଙ୍ଗଲ ବ୍ରିଗେଡ କ’ଣ ଭୁଲ କରିଛନ୍ତି, ସେକଥା ଆପଣ(ମମତା ବାନାର୍ଜୀ) କହିବା ଦରକର। ମୁଁ ପୂର୍ବରୁ ମଧ୍ୟ କହିଥିଲି ଯେ ଯଦି ଆପଣମାନେ କିଛି ବି ଭୁଲ କରିନାହାନ୍ତି ଓ ସବୁ କିଛି ସ୍ୱଚ୍ଛ ଉପାୟରେ ହୋଇଛି, ତା’ହେଲେ ଆପଣ ଘରକୁ ଯାଇପାରିବେ ଓ ଶାନ୍ତିରେ ଶୋଇ ପାରିବେ। କିଛି ବି ଘଟିବ ନାହିଁ। କିନ୍ତୁ ଯଦି କିଛି ପ୍ରମାଣ ମିଳିବ, ତା’ହେଲେ ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି କେହି ବି ରକ୍ଷା କରିପାରିବେ ନାହିଁ।”

Related Posts