ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲଢ଼ୁଥିବା ୨୩% ପ୍ରାର୍ଥୀଙ୍କ ନାମରେ ରହିଛି ଆପରାଧିକ ମାମଲା ।ସେହିପରି ୨୨ ପ୍ରତିଶତ ପ୍ରାର୍ଥୀଙ୍କ ସମ୍ପତ୍ତି ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବୋଲି ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍) ରିପୋର୍ଟରୁ ଜଣାପଡ଼ିଛି। ସେପଟେ ଦ୍ୱିତୀୟ ପର୍ଯ୍ୟାୟରେ ଲଢ଼ୁଥିବା ୧,୪୪୫ ପ୍ରାର୍ଥୀଙ୍କ ମଧ୍ୟରେ ୩୩୮ ଜଣ (୨୩%)ଙ୍କ ନାମରେ ଆପରାଧିକ ମାମଲା ରହିଥିବାବେଳେ ୨୯୫ ଜଣ (୨୦%)ଙ୍କ ନାମରେ ଗୁରୁତର ଅପରାଧ ମାମଲା ରହିଛି। ୧୬ ପ୍ରାର୍ଥୀଙ୍କ ନାମରେ ହତ୍ୟା ମାମଲା ଏବଂ ୮୦ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ରହିଛି। ଭାଜପାର ୧୦୨ (୭୨%) ପ୍ରାର୍ଥୀ, ଟିଏମ୍ସିର ୪୯(୩୫%), ସିପିଆଇ(ଏମ୍)ର ୫୧ (୫୧%) ଏବଂ କଂଗ୍ରେସର ୩୭ ଜଣ (୨୬%)ଙ୍କ ବିରୋଧରେ ଅପରାଧ ମାମଲା ରହିଛି। ସେହିପରି ୧,୪୪୫ ପ୍ରାର୍ଥୀଙ୍କ ମଧ୍ୟରୁ ୩୨୧ ଜଣ (୨୨%)ଙ୍କ ହାରାହାରି ସମ୍ପତ୍ତି ପରିମାଣ ୧ କୋଟି ଟଙ୍କାରୁ ଅଧିକ। ଟିଏମ୍ସିର ୧୦୩ ଜଣ (୭୩%) କୋଟିପତି ହୋଇଥିବାବେଳେ ଭାଜପାର ୭୩ ଜଣ (୫୨%), କଂଗ୍ରେସର ୩୬ ଜଣ (୨୫%) ଏବଂ ସିପିଆଇ(ଏମ୍)ର ୩୩ ଜଣ (୩୩%)ଙ୍କ ସମ୍ପତ୍ତି ପରିମାଣ ୧ କୋଟିରୁ ଅଧିକ।
