ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ଆଜି ଦେଶବ୍ୟାପୀ ୨୪ ଘଣ୍ଟିଆ ଔଷଧ ଦୋକାନ ବନ୍ଦ । ବିଭିନ୍ନ ଦାବିକୁ ନେଇ ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ ଅଫ୍ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ପକ୍ଷରୁ ଏହି ଦେଶବ୍ୟାପୀ ଧର୍ମଘଟ ଡାକରା । ଓଡ଼ିଶାରେ ମଧ୍ୟ ‘ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ’ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି । ଫଳରେ ରାଜ୍ୟର କୋଣ-ଅନୁକୋଣରେ ଔଷଧ ଦୋକାନ ଗୁଡ଼ିକ ସକାଳୁ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ନୀତି ବିରୋଧରେ ଏହି ଆନ୍ଦୋଳନ।

ଅନଲାଇନରେ ଔଷଧ ବିକ୍ରି ପ୍ରକ୍ରିୟାକୁ ବ୍ୟବସାୟୀ ସଂଘ ଦୃଢ଼ ଭାବରେ ବିରୋଧ କରୁଛି । ଅନଲାଇନ୍ ଔଷଧ ବିକ୍ରି ଯୋଗୁଁ ସ୍ଥାନୀୟ ଛୋଟ ବ୍ୟବସାୟୀମାନେ ବହୁତ ପ୍ରଭାବିତ ହେଉଛନ୍ତି । ଏହି ବ୍ୟବସ୍ଥା ଦ୍ୱାରା ଖୁଚୁରା ଔଷଧ ଦୋକାନୀମାନଙ୍କ ଜୀବିକା ପ୍ରଭାବିତ ହୋଇଛି । ମେଡ଼ିସିନ -ବ୍ୟବସାୟକୁ ବଡ଼ ବଡ଼ କର୍ପୋରେଟ୍ କମ୍ପାନୀଗୁଡ଼ିକ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଚେଷ୍ଟା କରୁଛନ୍ତି । ଔଷଧ ଉପରେ ବ୍ୟବସାୟୀମାନଙ୍କୁ ମିଳୁଥିବା ଲାଭାଂଶ ବା ମାର୍ଜିନକୁ କମାଇ ଦିଆଯାଇଛି । ମାର୍ଜିନ କମାଇବା ନିଷ୍ପତ୍ତିକୁ ଔଷଧ ବ୍ୟବସାୟୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଜିର ବନ୍ଦ ଡାକରା ପଛରେ ଏହି ସବୁ ହେଉଛି ମୁଖ୍ୟ କାରଣ।