ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ):ପ୍ରଧାନ ବିଚାରପତିଙ୍କ ବିବାଦୀୟ ମନ୍ତବ୍ୟ ପରେ ଗଠନ ହେଲା କୋକ୍ରୋଚ୍ ଜନତା ପାର୍ଟି । ୩ ଦିନରେ ସାମିଲ ହେଲେ ୧ ଲକ୍ଷରୁ ଅଧିକ ସଦସ୍ୟ । ତେବେ ଗତ ମେ’ ୧୫ ତାରିଖରେ ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ ଏକ ମାମଲାର ଶୁଣାଣି ବେଳେ ବେକାର ଯୁବକମାନେ ସାମ୍ବାଦିକତା, ଆଇନ ଏବଂ ଆରଟିଆଇ (RTI) କ୍ଷେତ୍ରକୁ ଆସିବାକୁ ‘ଅସରପା’ (Cockroaches) ଏବଂ ‘ପରଜୀବୀ’ (Parasites) ବୋଲି କହିଥିବା ଅଭିଯୋଗ ହୋଇଥିଲା।
ଯଦିଓ ପରବର୍ତ୍ତୀ ସମୟରେ CJI ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ତାଙ୍କ କଥାର ଭୁଲ୍ ଅର୍ଥ ବାହାର କରାଯାଇଛି, ମାତ୍ର ସେପର୍ଯ୍ୟନ୍ତ ଇଣ୍ଟରନେଟ୍ରେ ଖେଳିଯାଇଥିଲା ଝଡ଼। ଏହାର ଠିକ୍ ପରଦିନ ଅର୍ଥାତ୍ ୧୬ ମେ’ ୨୦୨୬ ରେ ଅଭିଜିତ ଦିପକେ ନାମକ ଜଣେ ଯୁବକ ‘କୋକ୍ରୋଚ୍ ଜନତା ପାର୍ଟି’ର ପ୍ରତିଷ୍ଠା କରିଥିଲେ। ଏହି ପାର୍ଟିର ସ୍ଲୋଗାନ ହେଉଛି- “ସେକୁଲାର, ସୋସିଆଲିଷ୍ଟ, ଡେମୋକ୍ରାଟିକ, ଲେଜି (ଅଳସୁଆ)”। ଏହାର ସଦସ୍ୟ ହେବା ପାଇଁ ଯୋଗ୍ୟତା ହେଉଛି- ଆପଣ ବେକାର, ଅଳସୁଆ, ସବୁବେଳେ ଅନଲାଇନ୍ ରହୁଥିବା ଏବଂ ପ୍ରଫେସନାଲ୍ ଭାବେ ସୋସିଆଲ ମିଡିଆରେ ଭାଷଣବାଜି କରିପାରୁଥିବା ଆବଶ୍ୟକ।
ବର୍ତ୍ତମାନ ସୁଦ୍ଧା ଏକ୍ସ (X) ରେ ଏହାର ୩୮,୦୦୦ ରୁ ଅଧିକ ଏବଂ ଇନଷ୍ଟାଗ୍ରାମରେ ୪.୨ ଲକ୍ଷରୁ ଅଧିକ ଫଲୋଅର୍ସ ହୋଇସାରିଛନ୍ତି। ବିଶେଷ କଥା ହେଉଛି, ତୃଣମୂଳ କଂଗ୍ରେସ (TMC) ର ଦୁଇ ପ୍ରମୁଖ ସାଂସଦ ମହୁଆ ମୈତ୍ରା ଏବଂ କୀର୍ତ୍ତି ଆଜାଦ ମଧ୍ୟ ଏହି ଦଳରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ଅଞ୍ଜଳି ଭରଦ୍ୱାଜ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି।ଦଳ ପକ୍ଷରୁ ଏକ ଏଆଇ ଆନ୍ଥେମ୍ ‘ଉଇ ଆର କୋକ୍ରୋଚ୍ ପାର୍ଟି’ ରିଲିଜ୍ କରାଯାଇଛି ଏବଂ ଦଳର ନିର୍ବାଚନ ସଙ୍କେତ ‘ମୋବାଇଲ୍ ଫୋନ୍’ କୁ ରଖାଯାଇଛି। ଦଳ ଏହାର ୫ ଦଫା ମାନିଫେଷ୍ଟୋରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛି । ତେବେ କୌଣସି ବି ଅବସରପ୍ରାପ୍ତ ପ୍ରଧାନ ବିଚାରପତିଙ୍କୁ ରାଜ୍ୟସଭା ସିଟ୍ ମିଳିବ ନାହିଁ। ସଂସଦ ଏବଂ କ୍ୟାବିନେଟରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ। ଦଳବଦଳ କରୁଥିବା ନେତାଙ୍କ ଉପରେ ୨୦ ବର୍ଷର ସରକାରୀ କଟକଣା। ଭୋଟ୍ ଡିଲିଟ୍ ହେଲେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ UAPA ଆଧାରରେ ଗିରଫ କରାଯିବ।ପରୀକ୍ଷାରେ ହେଉଥିବା ଦୁର୍ନୀତି ବିରୋଧରେ ସ୍ୱର ଉଠାଇ ସିବିଏସଇ (CBSE) ର ରିଚେକିଂ ଫି’କୁ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ଦାବି କରାଯାଇଥିବାର ଦେଖିବାକୁ ମିଳିଛି ।
