ଭୁବନେଶ୍ବର: ରାଜ୍ୟରେ ଏବେ କରୋନାର ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ହେଲା ଦୈନିକ ସଂକ୍ରମଣ 400 ଉପରେ ରହୁଥିବା ବେଳେ, ସେପଟେ, କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅଞ୍ଚଳରେ ଏକ ସରକାରୀ କଲେଜର ୨୭ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨୭ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ନେଇ କଲେଜ ପ୍ରିନ୍ସପାଲ ସୂଚନା ଦେଇଛନ୍ତି।
ତେବେ ଆଗକୁ କଲେଜରେ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଆଗାମୀ ୭ ଦିନ ପାଇଁ ପାଠପଢ଼ା ବନ୍ଦ ସହ ହଷ୍ଟେଲ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।
ସୂଚନା ଅନୁସାରେ ଅଡ଼ସପୁରସ୍ଥିତ ଉଦୟନାଥ ମହାବିଦ୍ୟାଳୟରେ ଆଜି ପୁଣି ୭ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଓ ସୋମବାର ୨୦ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ମୋଟ ୨୭ ଜଣଙ୍କ ମଧ୍ୟରୁ ୨୦ ଜଣଙ୍କୁ ଗୃହ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। ଅବଶିଷ୍ଠ ୭ ଜଣ ଛାତ୍ରଛାତ୍ରୀଙ୍କୁ କଲେଜର ଗେଷ୍ଟ ହାଉସ୍ରେ ରଖାଯାଇ ଚିକିତ୍ସା କରାଯାଉଛି। କଜେଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଗାମୀ ୭ ଦିନ ଯାଏଁ ପାଠପଢ଼ା ବନ୍ଦ ରଖାଯାଇଛି। ଏହାରି ମଧ୍ୟରେ କଲେଜ ଓ ହଷ୍ଟେଲ ପରିସରକୁ ସାନିଟାଇଜ୍ କରାଯିବ।
ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବଢ଼ିଚାଲିଛି। ଆଜି ପୂରା ରାଜ୍ୟରୁ ୪୨୮ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କଟକ ଜିଲ୍ଲାରୁ ୮୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
