ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ପୂର୍ବାଞ୍ଚଳ ପରିଷଦ ବୈଠକ; ବୈଠକରେ ଅଛନ୍ତି 4ଟି ରାଜ୍ୟର ପ୍ରତିନିଧୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେବା ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ପହଁଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଜଧାନୀ ଭୁବନେଶ୍ୱରରେ  ଆୟୋଜନ ହେବାକୁ ଥିବା ‘ପୂର୍ବାଞ୍ଚଳ ପରିଷଦ ବୈଠକ’ରେ ଅଧ୍ୟକ୍ଷତା କରିବେ ଗୃହମନ୍ତ୍ରୀ । ଲୋକସେବା ଭବନରେ ଏହି ବୈଠକ ଆଜି ପୂର୍ବାହ୍ନ ୧୦ଟା ୪୦ମିନିଟ ସମୟରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିଛନ୍ତି । 

ଏତଦ ବ୍ୟତୀତ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଝାଡ଼ଖଣ୍ଡର ଅର୍ଥମନ୍ତ୍ରୀ ମଧ୍ୟ ବୈଠକରେ ଉପସ୍ଥିତ ରହିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେବା ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪ ଦିନ ହେବ ଓଡ଼ିଶାରେ ଅଛନ୍ତି । ସେ ତାଙ୍କର ଗସ୍ତ ପୁରୀରୁ ଆରମ୍ଭ କରିଛନ୍ତି । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ମମତା ସିଧାସଳଖ ପୁରୀ ଯାଇଥିଲେ ।

ପୂର୍ବାଞ୍ଚଳ ପରିଷଦ ବୈଠକରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ସେହିଭଳି କେନ୍ଦ୍ର ସରକାରଙ୍କ ସଚିବ, ଅତିରିକ୍ତ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଛନ୍ତି । ଓଡ଼ିଶା ତରଫରୁ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦେଇଛନ୍ତି । ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସେହିଭଳି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୈଠକରେ ଯୋଗ ଦେଇନଥିବା ଜଣାପଡିଛି ହେମନ୍ତଙ୍କ ପ୍ରତିନିଧୀ ଭାବରେ ଝାଡଖଣ୍ଡର ଅର୍ଥମନ୍ତ୍ରୀ ବୈଠକରେ ଯୋଗ ଦେଇଛନ୍ତି ।

Related Posts