ମୟୂରଭଞ୍ଜ ଜିଲ୍ଲାରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ

ମୟୂରଭଞ୍ଜ: ବଜ୍ରାଘାତ ନେଲା ୩ ଜଣଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲାରେ ୩ ଜଣଙ୍କ ଜୀବନ ଯାଇଛି। ଶ୍ୟାମାଖୁଣ୍ଟା ବ୍ଲକ୍‌ ବାହାଦୁରପୁର ଗ୍ରାମର ମାଳତୀ ମହାନ୍ତ (୫୫) ଏବଂ ପାଣ୍ଡୁରା ଗ୍ରାମର ପାର୍ବତୀ ସିଂ (୪୧) ଆଜି ଅପରାହ୍ନରେ ଛେଳି ଚରାଇବା ପାଇଁ ପାଖ ପଡ଼ିଆକୁ ଯାଇଥିଲେ। ଏହି ସମୟ‌ରେ ବର୍ଷା ସହ ବଜ୍ରପାତ ହୋଇଥିଲା। ଫଳରେ ଉଭୟ ବଜ୍ରାଘାତର ଶିକାର ହୋଇଥିଲେ। ଏନେଇ ଜାଣିବା ପରେ ଗ୍ରାମବାସୀ ମାଳତୀ ଓ ପାର୍ବତୀଙ୍କୁ ତୁରନ୍ତ ବାରିପଦା ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ଶ୍ୟାମାଖୁଣ୍ଟା ରାଜସ୍ୱ ନିରୀକ୍ଷକ ମୃତକଙ୍କ ପରିବାରକୁ ଭେଟିଥିଲେ ଏବଂ ଅନୁକମ୍ପା ରାଶି ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଥି‌ଲେ। ସେହିପରି ବୈଶିଙ୍ଗା ଥାନା ଅଞ୍ଚଳରେ ମଧ୍ୟ ଜଣେ ୧୮ ବ‌ର୍ଷ ବୟସ୍କା ଯୁବତୀଙ୍କ ବଜ୍ରାଘାତ ଯୋଗୁଁ ମୃତ୍ୟୁ ଘଟିଛି। ସେ ହେଲେ; ଦେଓପଡ଼ା ଗାଁ’ର ଜଟିଆ ସିଂଙ୍କ ଝିଅ ରଂଜିତା ସିଂ।

ରଂଜିତା ନିଜ ମାଆ ଓ ଅନ୍ୟ ୨ ଜଣ ମହିଳାଙ୍କ ସହ ବିଲରୁ ଆସୁଥିବା ବେଳେ ବଜ୍ରପାତ ହୋଇଥିଲା। ୩ ଜଣ ଆହତ ହୋଇଥିବା ବେଳେ ରଂଜିତାଙ୍କ ଅବସ୍ଥା ଗୁରୁତର ଥିଲା। ଫଳରେ ତାଙ୍କୁ ସଂଗେ ସଂଗେ ବୈଶିଙ୍ଗା ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ରଂଜିତାଙ୍କୁ ମୃତ ଘୋଷଣା କରିଥିଲେ ।

Related Posts