ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକ ଜିଲ୍ଲା ଜଗତପୁର ବେଲମାଳିଆ ମନ୍ଦିର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ୩ଜଣ ଭାସିଯିବା ଘଟଣାରେ ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକମାନେ ହେଲେ ତ୍ରିଲୋଚନ ମହଲା ଓ ବାଦଲ ସାହୁ। ତ୍ରିଲୋଚନଙ୍କ ଘର ଚାଉଳିଆ ଗଞ୍ଜରେ ହୋଇଥିବାବେଳେ ବାଦଲଙ୍କ ଘର ଚୌଦ୍ୱାର ଅଞ୍ଚଳର ବୋଲି ଜଣାଯାଇଛି। ଏବେ ମଧ୍ୟ ଅନ୍ୟଜଣେ ଯୁବକ ନିଲୁ ସାହୁଙ୍କର କୌଣସି ପତ୍ତା ମିଳିନାହିଁ।
ତେବେ ଚୌଦ୍ୱାରରେ ଲକ୍ଷ୍ମୀପୂଜା ଭାସାଣୀ ଦେଖିବା ପାଇଁ ନିଲୁ ଓ ତାଙ୍କ ସାଙ୍ଗ ତ୍ରିଲୋଚନଙ୍କୁ ନେଇ ମାଉସୀ ଘରକୁ ଯାଇଥିଲେ। ଗତକାଲି ରାତିରେ ଲକ୍ଷ୍ମୀପୂଜା ଭସାଣ ଚାଲିଥିବା ବେଳେ ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ନିଲୁ, ତ୍ରିଲୋଚନ, ମାଉସୀ ପୁଅ ବାଦଲ ଓ ତାଙ୍କ ସାଙ୍ଗ ବସିଥିଲେ। ଏହି ସମୟରେ ଜଣେ ଯୁବକ କେନାଲ ଭିତରକୁ ଖସି ପଡ଼ିଥିଲେ। ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇ ସମସ୍ତେ କେନାଲକୁ ଡେଇଁ ପଡ଼ିଥିଲେ। ପରେ ସମସ୍ତେ କେନାଲରେ ବୁଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ବାଦଲଙ୍କ ସାଙ୍ଗକୁ ଉଦ୍ଧାର କରିଥିଲେ। ହେଲେ ନିଲୁ, ତ୍ରିଲୋଚନ ଓ ବାଦଲଙ୍କର କୌଣସି ପତ୍ତା ମିଳି ନଥିଲା। ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗତକାଲି ରାତିଠୁ ଖୋଜାଖୋଜି କରିବା ପରେ ତ୍ରିଲୋଚନ ଓ ବାଦଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ହେଲେ ନିଲୁ ଏବେ ବି ନିଖୋଜ ଅଛନ୍ତି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।
କେନାଲ ପାଣି ଚାଲୁଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ରହୁଛି। ଏଣୁ ଉପରମୁଣ୍ଡରୁ ଗେଟ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଘଟଣା ରାତିରେ ଘଟିଥିବା ବେଳେ, ଦିନ ବେଳା ଉଦ୍ଧାର କାର୍ଯ୍ୟ କରିବା ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।
