
ନୂଆଦିଲ୍ଲୀ: ପାଖେଇ ଆସୁଛି ‘କରୱା ଚୌତ୍’ । ତେବେ ଏହି ଦିନ ହିନ୍ଦୁ ମହିଳାମାନେ କରୱା ଚୌତ୍’ ଉପବାସ କରିବା ସହ ହାତରେ ମେହେନ୍ଦି ଲଗାଇଥାନ୍ତି । ତେବେ ଏହାରି ମଧ୍ୟରେ ଅନ୍ୟ କୌଣସି ସଂପ୍ରଦାୟର ମେହେନ୍ଦୀ କଳାକାର ଯେପରି ଉତ୍ତରପ୍ରଦେଶର ମୁଜାଫର୍ନଗରର ହିନ୍ଦୁ ମହିଳାଙ୍କ ହାତରେ ମେହେନ୍ଦୀ ନଲଗାନ୍ତି ସେ ନେଇ ଚେତାବନୀ ଦେଇଛନ୍ତି ହିନ୍ଦୁ ମହୋତ୍ସବର ସଦସ୍ୟ ତଥା ବିଜେପି ବିଧାୟମ ବିକ୍ରମ ସାଇନି ।
ଏହି ପ୍ରସଂଗ ନେଇ ଖତୌଲୀର ବିଜେପି ବିଧାୟମ ବିକ୍ରମ ସାଇନି କହିଛନ୍ତି ଯେ ‘ମେହେନ୍ଦୀ ଦୋକାନ ଖୋଲିଥିବା ମୁସ୍ଲମାନ ଯୁବକଙ୍କ ଉଦେଶ୍ୟ ହେଉଛି ଭିନ୍ନ। ସେମାନଙ୍କ ମନରେ ‘ଲଭ୍ ଜିହାଦ୍’ ରହିଛି। ସେମାନେ ଏହି ଉଦେଶ୍ୟରେ ମେହେନ୍ଦୀ ଦୋକାନ ଖୋଲିଛନ୍ତି।
ସାଇନି ଆହୁରି ବି କହିଛନ୍ତି ଯେ ‘ସେମାନେ ମେହେନ୍ଦୀ କଳା ଜରିଆରେ ମନରେ ‘ଲଭ୍ ଜିହାଦ୍’କୁ ସନ୍ତୁଷ୍ଟି ଦେଇଥାନ୍ତି। ଏଭଳି ଅନେକ ମାମଲା ରହିଛି। ମୁଁ ହିନ୍ଦୁ ମହିଳାମାନଙ୍କୁ ଘରେ ମେହେନ୍ଦୀ କରନ୍ତୁ ବୋଲି ଅନୁରୋଧ କରୁଛି। ଅଥବା ନିଜ ସଂପ୍ରଦାୟର ଲୋକ କରିଥିବା ପାର୍ଲର କିମ୍ବା ଦୋକାନରୁ ମେହେନ୍ଦୀ କରନ୍ତୁ।’
ଏପରିକି ବିଶ୍ବ ହିନ୍ଦୁ ପରିଷଦ (ବିଏଚ୍ପି) ହିନ୍ଦୁ ମହିଳାମାନଙ୍କ ପାଇଁ ୧୩ଟି ମେହେନ୍ଦୀ ଷ୍ଟଲ୍ ଖୋଲିଛି। ସେମାନେ ସେମାନଙ୍କ ଷ୍ଟଲ୍ରେ କେବଳ ହିନ୍ଦୁ କଳାକାରଙ୍କୁ ହିଁ ରଖିଛନ୍ତି। ଆର୍ଟିଷ୍ଟ୍ମାନେ ହିନ୍ଦୁ ବୋଲି ନିଶ୍ଚିତ ହେବା ପାଇଁ ଆଧାରକାର୍ଡ ଯାଞ୍ଚ୍ ବି ହେଉଛି।
ବିଜେପି ବିଧାୟକ ତଥା ହିନ୍ଦୁ ମହୋତ୍ସବର ସଦସ୍ୟ ବିକ୍ରମ ସାଇନି ନିଜ ସଂପ୍ରଦାୟର ମହିଳାମାନଙ୍କୁ ‘ଲଭ୍ ଜିହାଦ’ରୁ ବଞ୍ଚାଇବା ପାଇଁ ସତର୍କ ହେବାକୁ କହିବା ସହ ‘କରୱା ଚୌତ୍’ର ଗୁରୁତ୍ବ ବୁଝୁଥିବା ନିଜ ସଂପ୍ରଦାୟର କଳାକାରଙ୍କ ହାତରୁ ମେହେନ୍ଦୀ ଲଗାଇବାକୁ କହିଛନ୍ତି।
ଆପଣ ଜାଣନ୍ତି ନିଶ୍ଚୟ ‘କରୱା ଚୌତ୍’ ହେଉଛି ହିନ୍ଦୁ ମହିଳାମାନଙ୍କର ଏକ ପ୍ରସିଦ୍ଧ ବ୍ରତ। ଏହି ବ୍ରତରେ ମହିଳାମାନେ ନିଜ ସ୍ମାମୀଙ୍କ ଦୀର୍ଘାୟୁ କାମନା କରି ସକାଳୁ ରାତି ଯାଏ ଉପବାସ କରନ୍ତି। ଏହି ବ୍ରତରେ ମହିଳାମାନଙ୍କ ସାଜସଜାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସଜ ହୋଇଥାଏ ମେହେନ୍ଦୀ।
ପୂର୍ବରୁ ୨୦୨୧ ମସିହାରେ ମୁଜାଫରନଗରରେ ମୁସ୍ଲମାନ ଯୁବ କଳାକାର କିଛି ହିନ୍ଦୁ ମହିଳାଙ୍କ ହାତରେ ମେହେନ୍ଦୀ ଲଗାଇବା ନେଇ ‘ଲଭ୍ ଜିହାଦ’ ମାମଲା ରୁଜୁ ହୋଇଥିଲା।