ବିଦ୍ୟାଭାରତୀଙ୍କ ନାଁରେ ୩ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ନାଁରେ ପାରଳାଖେମୁଣ୍ଡି କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି । ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ ଅଭିଯୁକ୍ତ । ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

୮୧ ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ ପରେ ଚାର୍ଜସିଟ୍ ଦାଖଲ ହୋଇଛି । ୩ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନଚିଟ୍ ଦେଇଥିଲେ କ୍ରାଇମବ୍ରାଞ୍ଚ । ଏବେ ବିଦ୍ୟାଭାରତୀଙ୍କୁ ଅଭିଯୁକ୍ତ ଦର୍ଶାଇ ଚାର୍ଜସିଟ୍ ଦାଖଲ ହୋଇଛି । ତାଙ୍କ ବିରୋଧରେ ଲାଗିଛି ଆଇପିସିର ଦଫା ୨୮୫,୩୦୪ (ଏ) । ଏବେ କୋର୍ଟଙ୍କ ନିଷ୍ପତ୍ତି ଉପରେ ନଜର ରହିଛି ।

ସୌମ୍ୟଙ୍କ ମୃତ୍ୟୁର ପାଖାପାଖି ୩ ମାସ ତଦନ୍ତ ପରେ ଚାର୍ଜସିଟ୍ ଦାଖଲ ହୋଇଛି । ଜୁଲାଇ ୧୨ ତାରିଖରେ ସୌମ୍ୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ତାପରଦିନ କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ବିଦ୍ୟାଭାରତୀ, ଗଜପତି ଡିଏଫଓ ଏବଂ ରୋଷେୟାଙ୍କ ନାଁରେ ଏତଲା ଦେଇଥିଲେ ସୌମ୍ୟଙ୍କ ପରିବାର ।

Related Posts