ଦେବଗଡ଼ରେ BSKY ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଦେବଗଡ : କୌଣସି ପରିସ୍ଥିତିରେ ଚିକିତ୍ସା ପାଇଁ ଅର୍ଥ ବାଧକ ନ ସାଜୁ । ଚିକିତ୍ସା ଖର୍ଚ୍ଚ ତୁଳାଇବାକୁ ଯାଇ ଘର ବନ୍ଧା ନ ପଡୁ । ଏହି ଉଦ୍ଦେଶ୍ୟରେ ହିଁ ଦେଶର ସର୍ବପ୍ରଥମ ରାଜ୍ୟ ଭାବେ ଓଡିଶା ସରକାର ବିଜୁ ସାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି । ଦେବଗଡ ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଏହି କାର୍ଡ ଗରିବଙ୍କ ପାଇଁ ବରଦାନ ସାଜିବ ବୋଲି ଆଜି ଭର୍ଚୁଆଲ୍ ମାଧ୍ୟମରେ ସ୍ମାର୍ଟ ହେଲ୍‌ କାର୍ଡ ବଣ୍ଟନର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

ଦେବଗଡରେ ଆଜି ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି । ନିଜ ବକ୍ତବ୍ୟରେ ଏହି କାର୍ଡର ଉପାଦେୟତା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ଏହି କାର୍ଡ ଦ୍ୱାରା ଦେଶର ୨୦୦ରୁ ଉର୍ଦ୍ଧ୍ବ ଖ୍ୟାତନାମା ଡାକ୍ତରଖାନା ଗୁଡିକରେ ମାଗଣାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ମହିଳା ମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରିବେ । ଦେବଗଡ ଭଳି ଆଦିବାସୀ ବହୁଳ ଜିଲ୍ଲାର ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧ ପରିକର ବୋଲି ନବୀନ ପ୍ରକାଶ କରିଛନ୍ତି ।

ସେହିପରି ଜିଲ୍ଲାର ବିକାଶ ଦିଗରେ ଅର୍ଥ ପ୍ରତିବନ୍ଧକ ହେବ ନାହିଁ ବୋଲି ସେ ଶୁଣାଇ ଦେଇଛନ୍ତି । ସେପଟେ ଦେବଗଡରେ ଏହାର ବଣ୍ଟନ କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ , ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର , ଗ୍ରାମ୍ୟ ଉନ୍ନୟନ ଏବଂ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ପ୍ରମୁଖ ଯୋଗଦେଇଛନ୍ତି । ଏହି ଅବସରରେ ତିନି ମନ୍ତ୍ରୀ ନବୀନ ସରକାରର ସଫଳତା ଉପରେ ଆଲୋକପାତ କରିବା ସହିତ ଆୟୁଷ୍ମାନ ଭାରତ ଯୋଜନା କେବେ ବି ବିଏସ୍‌ୱାଇର ବିକଳ୍ପ ହୋଇପାରିବ ନାହିଁ ବୋଲି ପ୍ରକାଶ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ବହୁ ଉନ୍ନୟନ ପ୍ରକଳ୍ପର ଉଦଘାଟନ ତଥା ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ବରିଷ୍ଠ ବିଭାଗୀୟ ଅଧିକାରୀ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ଏବଂ ସୁଲତା ଦେଓ ପରିଚାଳନା କରିଥିଲେ ।

ଆଜି ଏହି ଅବସରରେ ବାରକୋଟ ବ୍ଲକର ୨୮ ହଜାର ୬୯, ରିଆମାଲର ୨୭ ହଜାର ୧୭୫, ତିଲେଇବଣୀ ବ୍ଲକର ୧୯ ହଜାର ୮୬୨ ଏବଂ ଦେବଗଡ ପୌର ପରିଷଦର ୩୫୦୯ ଜଣଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଛି । ମୋଟ୍ ଭାବେ ଜିଲ୍ଲାର ୨, ୭୦୦୦୦ ପରିବାର ଏହି କାର୍ଡ ଦ୍ବାରା ଉପକ୍ରୁତ ହୋଇପାରିବେ ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି । ସେହିପରି ଏହି ଅବସରରେ ୭୦୭ କୋଟି ଟଙ୍କାର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି ।

Related Posts