
ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଟାଉନହଲ ପରିସରରେ ଥିବା ପାର୍କିଂରେ ଘଟିଛି ଅଘଟଣ । ପାର୍କିଂରେ ଛିଡ଼ା ହୋଇଥିବା 5 ଟି କାର ହୁତୁ ହୁତୁ ହୋଇ ଜଲିଗଲା । ଗୋଟିଏ କି ଦୁଇଟି ନୁହେଁ ୫ଟି କାର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି ।
ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପାର୍କିଂରେ ରଖାଯାଇଥିବା ୫ଟି କାର୍ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଗୋଟିଏ କାର୍ ଆଂଶିକ କ୍ଷତିଗ୍ରସ୍ତ ହୋଇଛି। କେମିତି କାର୍ ଗୁଡିକରେ ନିଆଁ ଲାଗିଲା ତାହା ଜଣାପଡିନାହିଁ ।
କେହି ଦୁର୍ବୃତ୍ତ କାର୍ ଗୁଡିକରେ ଜାଣିଶୁଣି ନିଆଁ ଲଗାଇ ଥାଇପାରେ ବୋଲି ପାରିପାର୍ଶିକ ସ୍ଥିତିରୁ ଅନୁମାନ କରାଯାଉଛି । ଅଜଣା ଦୁର୍ବୃତ୍ତ କାର ଜାଳି ଦେଇଥିବା ସନ୍ଦେହ କରାଯାଉଛି । ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।