31ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ମାମଲା: ସ୍ଥଗିତ ରଖିଲେ ହାଇକୋର୍ଟ

ଡିିସେମ୍ବର ୧୪ ତାରିଖରେ ଆୟୋଜନ ହେବାକୁ ଥିବା ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ସ୍ଥଗିତ ରହିଛି ।
ଓଡ଼ିଶା ହାଇକୋର୍ଟରେ ଏହି ମାମଲାର ଶୁଣାଣି କରି ଏହାକୁ ସ୍ଥଗିତ ରଖିଛନ୍ତି । କୋର୍ଟ ପୁରସ୍କାର ପ୍ରଦାନ ପୁନଃ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୨ ଜାନୁଆରି ୭ ସୁଦ୍ଧା ପୁନଃ ବିଚାର କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି । ଏନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କର ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ ୩୧ତମ ଚଳଚ୍ଚିତ୍ର ପୁରସ୍କାର-୨୦୧୯ ଓ ଅଷ୍ଟମ ରାଜ୍ୟ ଟେଲି ପୁରସ୍କାର-୨୦୧୯ ପାଇଁ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ବାନ କରାଯାଇଥିବା ବେଳେ ‘ଛବିରାଣୀ’ ଚଳଚ୍ଚିତ୍ର ପାଇଁ ଆବେଦନକାରୀ ନିୟମ ଅନୁସାରେ ଦରଖାସ୍ତ ଦାଖଲ କରିଥିଲେ। ୨୦୨୧, ନଭେମ୍ବର ୫ରେ ୩୧ତମ ଚଳଚ୍ଚିତ୍ର ପୁରସ୍କାର ପାଇଁ ଚୂଡ଼ାନ୍ତ ଚୟନ ତାଲିକା ପ୍ରକାଶ ପାଇଥିଲା। ୨୭ଟି ବର୍ଗରେ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଆବେଦନକାରୀଙ୍କ ଚଳଚ୍ଚିତ୍ର କିନ୍ତୁ ଗୋଟିଏ ବି ବର୍ଗରେ ସ୍ଥାନ ପାଇ ପାରି ନଥିଲା। ସମଗ୍ର ଚୟନ ପ୍ରକ୍ରିୟାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ପୁରସ୍କାର ପାଇଁ ଦରଖାସ୍ତ ଆହ୍ବାନ କରି ପ୍ରକାଶିତ ବିଜ୍ଞପ୍ତିରେ କେବଳ ଓଡ଼ିଆ ଭାଷା ଓ ଓଡ଼ିଆ ଜନଜାତି ଭାଷାରେ ରାଜ୍ୟରେ ନିର୍ମିତ ମୌଳିକ ଚଳଚ୍ଚିତ୍ର ଗୁଡିକୁ ପୁରସ୍କାର ପାଇଁ ବିଚାରକୁ ନିଆଯିବ ବୋଲି ସ୍ପଷ୍ଟ କରାଯାଇଥିଲା। କିନ୍ତୁ ବିଦେଶୀ ଚଳଚ୍ଚିତ୍ର ଓ ଅନ୍ୟ ରାଜ୍ୟର ଚଳଚ୍ଚିତ୍ର ଅନୁକରଣରେ ନିର୍ମିତ ଚଳଚ୍ଚିତ୍ରକୁ ପୁରସ୍କାର ପାଇଁ ଚୟନ କରାଯାଇଥିବା ସ୍ପଷ୍ଟ ହୋଇଥିଲା ବୋଲି ଆବେଦନକାରୀ ଦର୍ଶାଇଛନ୍ତି। କୋରିଆର ‌‘ହୋପ’ ନାମକ ଫିଲ୍ମର ରିମେକ୍ ବୋଲି ଜଣାପଡିଥିବା ଏକ ଚଳଚ୍ଚିତ୍ରକୁ ୫ଟି ବର୍ଗରେ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି। ଏଥିସହିତ ପଞ୍ଜାବୀ ଫିଲ୍ମ ‘କ୍ୟାରି ଅନ୍ ଜଟ୍ଟା’କୁ କପି କରି ନିର୍ମିତ ଓଡ଼ିଆ ଚଳଚ୍ଚିତ୍ରକୁ ମଧ୍ୟ ରାଜ୍ୟ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଏପରି କପି କରି ତିଆରି କରାଯାଇଥିବା ଚଳଚ୍ଚିତ୍ରକୁ ରାଜ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇ ଓଡ଼ିଶା ରାଜ୍ୟ ପୁରସ୍କାର ପାଇଁ ରହିଥିବା ନିୟମାବଳୀ ଉଲ୍ଲଂଘନ କରାଯାଇଛି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି।

Related Posts