ଜାନୁଆରି ୨୫ ଯାଏଁ କଙ୍ଗନାଙ୍କ ଗିରଫ ଦାରୀ ଉପରେ ରୋକ ଲଗାଇଲେ ବମ୍ବେ ହାଇକୋର୍ଟ

ବିବାଦୀୟ ମନ୍ତବ୍ୟ ଦେବା ନେଇ ସବୁବେଳେ ଚର୍ଚ୍ଚା ରେ ରହିଆସିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ । ଏପରିକି ତାଙ୍କୁ ଗିରଫ କରିବା ନେଇ ଗିରଫ ପରୱାନା ଜାରି କରାଯାଇଛି । ତେବେ ତାଙ୍କ ଗିରଫ ଦାରୀ ଉପରେ ଜାନୁଆରୀ ୨୫ ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି ବମ୍ବେ ହାଇକୋର୍ଟ । ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଗିରଫଦାରୀର ସମ୍ମୁଖୀନ ହେବେ ନାହିଁ; ଯାହା କୃଷକଙ୍କ ବିକ୍ଷୋଭକୁ ଏକ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ସହିତ ଯୋଡିଥିବା ଅଭିଯୋଗ ହୋଇଥିଲା। ଏନେଇ ମୁମ୍ବାଇ ପୁଲିସକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ।

ସୂଚନାଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ଅଭିନେତ୍ରୀ କଙ୍ଗନା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଚଳିତ ବର୍ଷ ନଭେମ୍ବରରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆରକୁ ରଦ୍ଦ କରିବାକୁ ଅନୁରୋଧ କରିଥିଲେ। ତାଙ୍କ ଆବେଦନରେ କଙ୍ଗନା କହଥିଲେ ଯେ ନଭେମ୍ବର ୨୧ରେ କରାଯାଇଥିବା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଉପରେ ଅଭିଯୋଗକାରୀମାନେ ଆପତ୍ତି ଉଠାଇଥିବାବେଳେ ତାଙ୍କ ବିରୋଧରେ କୌଣସି ଆଇନଗତ ମାମଲା କରାଯାଇ ନାହିଁ।

ଉଲ୍ଲେଖଯୋଗ୍ୟ, ଏକ ଶିଖ ସଂଗଠନ ମୁମ୍ବାଇର ଖାର ପୁଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରି କହିଥିଲା ଯେ ଅଭିନେତ୍ରୀ କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଦିଲ୍ଲୀ ସୀମାରେ ଚାଲିଥିବା କୃଷକଙ୍କ ବିରୋଧକୁ ଖଲିସ୍ତାନୀ ଆନ୍ଦୋଳନ ଭାବେ ଚିତ୍ରଣ କରିଛନ୍ତି। ଏହା ପରେ ପୁଲିସ କଙ୍ଗନାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଅଧୀନରେ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଜାଣିଶୁଣି ଆଘାତ କରିଥିବା ଅଭିଯୋଗରେ ଏକ ମାମଲା ରୁଜ୍ଜୁ କରିଥିଲା।

Related Posts