ନରେନ୍ଦ୍ର ମୋଦୀ ସରକାରଙ୍କ ଅମଳରେ ୨୦୧୪-୧୫ରୁ ୨୦୨୨ ମଧ୍ୟରେ ୩୯୬ ଥର ଟ୍ରେନ ଲାଇନଚ୍ୟୁତ

ନୂଆଦିଲ୍ଲୀ: ଦେଶରେ ଏବେ ଟ୍ରେନ୍ ଦୁର୍ଘଟଣା ଓ ମାଲବାହୀ ଟ୍ରେନ ଲାଇନଚ୍ୟୁତ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ତା ସାଙ୍ଗକୁ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି ।ସୋମବାର ସକାଳେ ଯାଜପୁର ଜିଲ୍ଲାର କୋରେଇ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଫଳରେ ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଅମଳରେ ୨୦୧୪-୧୫ରୁ ଜୁଲାଇ ୨୬, ୨୦୨୨ ମଧ୍ୟରେ ୩୯୬ ଥର ଟ୍ରେନ ଲାଇନଚ୍ୟୁତ ହୋଇଛି। ଏହା ବାଦ୍‌ ରେଳ ମୁହାଁମୁହିଁ ହେବା ଫଳରେ ୨୫ଟି ଦୁର୍ଘଟଣା ଘଟିଥିବା ବେଳେ ରେଳ ଲେଭଲ୍‌ କ୍ରସିଂରେ ୧୩୩ଟି ଦୁର୍ଘଟଣା ଘଟିଛି। ସଂସଦର ଗତ ମୌସୁମୀ ଅଧିବେଶନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଲୋକସଭାରେ ଏକ ଲିଖିତ ଉତ୍ତରରେ ଉକ୍ତ ତଥ୍ୟ ରଖିଥିଲେ।

ରେଳମନ୍ତ୍ରୀଙ୍କ ଉତ୍ତରରେ ୩୩ଟି ରେଳ ଅଗ୍ନିକାଣ୍ଡର ସୂଚନା ମଧ୍ୟ ରହିଥିଲା। ମନ୍ତ୍ରାଳୟ ତଥ୍ୟ ଅନୁସାରେ ଦେଶରେ ୨୦୧୭-୧୮ରୁ ୨୦୨୨ ଜୁନ୍‌ ୩୦ ସୁଦ୍ଧା ୨୪୮ଟି ରେଳ ଦୁର୍ଘଟଣା ଘଟିଛି। ଯେଉଁଥିରେ ୧୨୨ ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ରେଳ ଦୁର୍ଘଟଣା ଯୋଗୁ ସର୍ବାଧିକ ୭୯୫୮.୨୪ ଲକ୍ଷ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିଲା। ଏନ୍‌ସିଆର୍‌ବିର ତଥ୍ୟ ହେଲା, ୨୦୨୧ରେ ଦେଶରେ ରେଳ ଲାଇନଚ୍ୟୁତ ହେବା ଘଟଣାରେ ୮୬ ଜଣ ପ୍ରାଣ ହରାଇଛନ୍ତି। ରେଳ ଦୁର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର ବହୁ ପଦକ୍ଷେପ ନେଉଛନ୍ତି, ହେଲେ ଟ୍ରେନ୍‌ ଲାଇନଚ୍ୟୁତ ଘଟଣା ଉପରେ ସଂପୂର୍ଣ୍ଣ ଅଙ୍କୁଶ ଲାଗି ପାରୁନାହିଁ। ଦେଶରେ ରେଳ ଟ୍ରାକ୍‌ଗୁଡ଼ିକର ସ୍ଥିତିକୁ ନିୟମିତ ସମୀକ୍ଷା କରି ନୂତନ ସୂଚନା ପ୍ରଯୁକ୍ତି ଆଧାରରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ୨୦୧୭-୧୮ରେ ୫ ବର୍ଷ ପାଇଁ ଜାତୀୟ ରେଳ ସୁରକ୍ଷା ପାଣ୍ଠି ବ୍ୟବସ୍ଥା ହୋଇଛି। ଏହି ଯୋଜନାରେ ଏକ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଏହି ପାଣ୍ଠିରେ ଟ୍ରାକ୍ ନବୀକରଣ, ପୁନଃସ୍ଥାପନ ଓ ଗୁଣାତ୍ମକ ମାନ ବୃଦ୍ଧି କରାଯିବ। ଏହି ଯୋଜନାକୁ ପୁନର୍ବାର ୨୦୨୨-୨୩ରେ ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି।

ମାନବ ତ୍ରୁଟି କାରଣରୁ ହେଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ମେ ୩୧, ୨୦୨୨ ସୁଦ୍ଧା ୬୨୬୧ ଷ୍ଟେସନରେ ପଏଣ୍ଟ୍‌ ଏବଂ ସିଗନାଲ୍‌ଗୁଡ଼ିକର କେନ୍ଦ୍ରୀକୃତ ପରିଚାଳନା ସହିତ ଇଲେକ୍‌ଟ୍ରିକାଲ ତଥା ଇଲେକ୍‌ଟ୍ରୋନିକ ଇଣ୍ଟରଲକିଂ ବ୍ୟବସ୍ଥା ହୋଇଛି। ରେଳ କର୍ମଚାରୀମାନଙ୍କୁ ଏଥି ପାଇଁ ନିୟମିତ ପରାମର୍ଶ ଓ ପ୍ରଶିକ୍ଷଣ ଦିଆଯାଉଛି। ମନ୍ତ୍ରାଳୟରୁ ମିଳିଥିବା ତଥ୍ୟ ଅନୁସାରେ ରେଳ ଟ୍ରାକ୍‌ଗୁଡ଼ିକର ପରିଚାଳନା ପାଇଁ ୨୦୧୯-୨୦ରେ ୧୧୩୬୯.୫୬ କୋଟି , ୨୦୨୦-୨୧ରେ ୧୧୬୦୪.୭୫ କୋଟି, ୨୦୨୧-୨୨ରେ ୧୨୩୨୧.୩୫ କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ୨୦୨୨ ଜୁନ୍‌ ସୁଦ୍ଧା ଏହି ପାଣ୍ଠିରୁ ୩୩୩୬.୪୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଟ୍ରେନ୍ ଲାଇନଚ୍ୟୁତ ଘଟଣା ଉପରେ ଅଙ୍କୁଶ ଲଗାଇବା ପାଇଁ ଆଗାମୀ ଦିନରେ ଭିତ୍ତିଭୂମି ବିକାଶ, ରେଳ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଓ ନୂତନ ବୈଷୟିକ ଜ୍ଞାନ ପ୍ରୟୋଗ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ଜଣାପଡ଼ିଛି ।

Related Posts