ହୁସିଆର ! ବୁଲୁଛି ନରହନ୍ତା ଦନ୍ତା: 4 ଦିନରେ ନେଲାଣି 4 ଜୀବନ

(ସତ୍ୟପାଠ ବ୍ୟୁରୋ) ଯାଜପୁର: ଦାନଗଦି ଅଞ୍ଚଳରେ 4 ଦିନରେ ଚ଼ାରି ଚ଼ାରି ଜଣଙ୍କ ଜୀବନ ନେଇ ଆତଙ୍କ ଖେଳାଇଛି ନରହନ୍ତା ଦନ୍ତା । ଏଯାଏ ଦନ୍ତା ହାତୀର ପତ୍ତା ମିଳୁନାହିଁ । ଗତକାଲି ରାତି ୧୨ଟାଠାରୁ ହାତୀକୁ ଠାବ କରିପାରିନାହିଁ ବନ ବିଭାଗ । ତାକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ଦୁଇଟି ବିଶେଷଜ୍ଞ ଦଳ ଯାଜପୁରରେ ପହଞ୍ଚିଛନ୍ତି, କିନ୍ତୁ ହାତୀଟି କେଉଁଠି ଲୁଚି ରହିଛି ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ୁନାହିଁ ।

କେଉଁଠି ଲୁଚିଛି ନରହନ୍ତା ଦନ୍ତା ?

ନରହନ୍ତା ହାତୀ ଶେଷ ଥର ପାଇଁ ରବିବାର ରାତିରେ ଧପଙ୍ଖିରେ ଦେଖାଯାଇଥିଲା । ସେବେଠାରୁ ସେ କେଉଁଠି ଲୁଚି ରହିଛି କିମ୍ବା ଆଉ କୁଆଡ଼େ ଚାଲିଯାଇଛି ତାହା ଜାଣିପାରୁନି ବନ ବିଭାଗ । ଦାନଗଦି ବ୍ଲକର ମାନପୁର ନିକଟ ମୁଣ୍ଡା ସାହିରେ ଗତକାଲି ବିଳମ୍ବିତ ରାତିରେ ପୁଣି ସେହି ହାତୀ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି ।

ଯାଜପୁରରେ ଟ୍ରାଙ୍କୁଲାଇଜ୍ ଟିମ୍

ଏବେ ଏହି ଆକ୍ରାମକ ଓ ଚତୁର ହାତୀକୁ ଠାବ କରିବା ବନ ବିଭାଗ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି । ହାତୀ ମିଳିଲେ ତାକୁ ଟ୍ରାଙ୍କୁଲାଇଜ୍‌ କରାଯିବ ବୋଲି କହିଛି ବନ ବିଭାଗ । ନରହନ୍ତାକୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଯାଜପୁରରେ ପହଞ୍ଚିଛନ୍ତି ଶିମିଳିପାଳ, ନନ୍ଦନକାନନ, ଅନୁଗୁଳ ଓ କେନ୍ଦୁଝରରୁ 4ଟି ଟ୍ରାଙ୍କୁଲାଇଜ୍ ଟିମ୍ ।

4 ଦିନରେ ନେଲାଣି 4 ଜୀବନ

ଗତ 4  ଦିନ ହେବ ଯାଜପୁରରେ ଆତଙ୍କ ଖେଳାଇଥିବା ଏହି ଦନ୍ତା ହାତୀର ଆକ୍ରମଣରେ ଚ଼ାରି ଜଣ ଲୋକଙ୍କ ଜୀବନ ଯାଇଛି । ଗୁରୁତର ଭାବେ ଆହତ ହୋଇଛନ୍ତି ୧୦ରୁ ଅଧିକ ଲୋକ । ରସୁଲପୁର, କୋରେଇ ଏବଂ ଦାନଗଦି ବ୍ଲକରେ ଗତ କିଛି ଦିନ ହେବ ଆତଙ୍କ ଖେଳାଇଛି ଏହି ହାତୀ ।

ଗତ ଚରି ଦିନ ଧରି ହାତୀଟି ଦାନଗଦୀର ଧୂଳିଗଡ଼ ଜଙ୍ଗଲରେ ରହି ଆତଙ୍କ ଖେଳାଇଥିଲା । ଗାଁରେ ପଶି ଘରଦ୍ବାର ଭାଙ୍ଗିବା ସହି ବ୍ୟାପକ ଫସଲ ନଷ୍ଟ କରିଥିଲା । ପରେ କେନ୍ଦୁଝର ଏବଂ ଅନୁଗୁଳରୁ ଆସିଥିବା ଦୁଇଟି ବିଶେଷଜ୍ଞ ଟିମ୍‌ ହାତୀ ଘଉଡ଼ାଇବା ଲାଗି ଗତ ରାତିରେ ଉଦ୍ୟମ ଚ଼ଳାଇଥିଲେ । ବନ ବିଭାଗ ସହ ସ୍ଥାନୀୟ ଲୋକେ ମଧ୍ୟ ସହଯୋଗ କରୁଥିଲେ । ମାତ୍ର ଅନ୍ଧାର ଓ କୁହୁଡ଼ିରେ ହାତୀଟି ରବିବାର ମଧ୍ୟରାତ୍ରିରୁ କେଉଁଠି ଛପି ରହିଛି ବା କୁଆଡ଼େ ଚାଲିଯାଇଛି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନଥିବା କହିଛନ୍ତି ବନ ବିଭାଗର ଅଧିକାରୀ ।

Related Posts