ରାଜଧାନୀରେ ବାର୍ଡ ଫ୍ଲୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ରାଜଧାନୀରେ ବାର୍ଡ ଫ୍ଲୁ । ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର ପୋଲଟ୍ରି ସାଇନ୍ସ ବିଭାଗରେ ବାର୍ଡ ଫ୍ଲୁ ସଂକ୍ରମଣ ହୋଇଛି । ଭୋପାଳ ପଠାଯାଇଥିବା କୁକୁଡ଼ାର ନମୁନାରେ ପଜିଟିଭ ଆସିବାରେ ଆରମ୍ଭ ହୋଇଛି ତନାଘନା । ଆସନ୍ତାକାଲିଠୁ ଓୟୁଏଟି ପରିସରରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ । ଓୟୁଏଟିରୁ ଏକ କଲୋମିଟର ଦୂରରେ କୁକୁଡା ମାରିବାକୁ ପଦକ୍ଷେପ ନିଆଯାଇଛି  ।

ସୂଚନା ଅନୁସାରେ, ଗତ ଦୁଇ ଦିନ ଧରି ଓଡ଼ିଶା କୃଷି ବିଦ୍ୟାଳୟ (ଓୟୁଏଟି) ଅଧିନରେ ଥିବା ଫାର୍ମରେ କୁକୁଡ଼ାଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା । ଫଳରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ  ବାର୍ଡ ଫ୍ଲୁ ଆଶଙ୍କା କରି  କୁକୁଡ଼ାଙ୍କ ରକ୍ତ ନମୁନା ଭୋପାଳସ୍ଥିତ ଟେଷ୍ଟିଂ ଲ୍ୟାବ୍‌କୁ ପଠାଯାଇଥିଲା । ଆଜି ଭୋପାଳ ଟେଷ୍ଟିଂ ଲ୍ୟାବ୍‌ରୁ  ରିପୋର୍ଟ  ପିଜିଟିଭ୍‌ ଆସିବା ପରେ କୁକୁଡାମାନେ ବାର୍ଡ ଫ୍ଲୁ ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଛି । ଏହାପରେ  ବାର୍ଡ ଫ୍ଲୁ ନେଇ ଓୟୁଏଟି ସୂଚନା ଦେଇଛି ।

ବାର୍ଡ ଫ୍ଲୁ ନେଇ ସୂଚନା ମିଳିବା ପରେ ଆସନ୍ତାକାଲିଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ । ବାର୍ଡ ଫ୍ଲୁ ରିପୋର୍ଟ ପିଜିଟିଭ୍‌ ଆସିଥିବା ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି ବୋଲି ଓୟୁଟି ପାଥୋଲୋଜି ମୁଖ୍ୟ ସୁରେଶ ପଣ୍ଡା ସୂଚନା ଦେଇଛନ୍ତି । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଯଥାସମ୍ଭବ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ବାର୍ଡ ଫ୍ଲୁ ହୋଇଥିବା ନେଇ କେନ୍ଦ୍ର ପକ୍ଷରୁ ବିଧିବଦ୍ଧ ଭାବେ ଅବଗତ ବି କରାଯାଇଛି। ଓୟୁଏଟିରୁ ୧କିମି ପରିବ୍ୟାପ୍ତ ଅଞ୍ଚଳରେ କୁକୁଡ଼ା ମାରିବାକୁ ପଦକ୍ଷେପ ନିଆଯାଇଛି । ଓୟୁଏଟି ଫାର୍ମରେ ଶହସ୍ରାଧିକ କୁକୁଡ଼ା ରହିଥିବା ସୂଚନା ମିଳିଛି । ରାଜ୍ୟରେ କରୋନା ଭୂତାଣୁ ପରେ ବାର୍ଡ ଫ୍ଲୁ ଆତଙ୍କ ଲୋକମାନଙ୍କ ମନରେ କୋକୁଆ ଭୟ ଖେଳାଇ ଦେଇଛି।

Related Posts