ଗୁଜୁରାଟର ବୋଟାଡରେ ବିଷାକ୍ତ ମଦ ନେଲା ୪ ଜୀବନ, ଅନେକ ଆହତ

ଅହମଦାବାଦ: ଗୁଜରାଟର ବୋଟାଡରେ ତାଣ୍ଡବ ରଚିଛି ବିଷାକ୍ତ ମଦ। ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଅନେକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

କୁହାଯାଉଛି ଯେ ବିଷାକ୍ତ ମଦ ସେବନ ହେତୁ ଲୋକଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ନିଶ୍ଚିତ କରିଛି। ଏବେ ଏକାଧିକ ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ପୁଲିସ ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି।

ବର୍ତ୍ତମାନ ଏହି ବିଷାକ୍ତ ମଦ କେଉଁଠୁ ଆସିଲା, କିଏ ଏହାକୁ ଆଣି ଲୋକଙ୍କୁ ଦେଇଥିଲା, ଏପର୍ଯ୍ୟନ୍ତ ପୁଲିସ ପାଖରେ ଏନେଇ କୌଣସି ସୂଚନା ନାହିଁ। ବଡ ପ୍ରଶ୍ନ ଏହା ମଧ୍ୟ ଉଠୁଛି ଯେ, ଗୁଜରାଟରେ ବହୁ ବର୍ଷ ଧରି ମଦ ଉପରେ ନିଷେଧାଦେଶ ଜାରି ରହିଛି। ଏଭଳି ସ୍ଥିତିରେ ଲୋକମାନେ କେଉଁଠାରୁ ମଦ ଆଣି ପିଇଲେ ସେନେଇ ଯାଞ୍ଚ କରୁଛି ପୁଲିସ।

ବର୍ତ୍ତମାନ ପୁଲିସ ଏହି ଘଟଣାକୁ ନେଇ କୌଣସି ବିବୃତି ଦେଇନଥିଲେ ବି ୪ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛି। ପୁଲିସର ସୂଚନାନୁସାରେ, ତଦନ୍ତ ପରେ ଏକ ସରକାରୀ ବିବୃତି ଜାରି କରାଯାଇ ସବିଶେଷ ତଥ୍ୟ ଦିଆଯିବ।

ତେବେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପୀଡ଼ିତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।

Related Posts