ଗୁଜରାଟ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେଲେ ଭୂପେନ୍ଦ୍ର ପଟେଲ, ୧୨ରେ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟରେ ପୁଣି ଭାରତୀୟ ଜନତା ପାର୍ଟି କୁ ମିଳିଛି ଜନାଦେଶ । ଏହି ଐତିହାସିକ ବିଜୟ ପରେ ବିଜେପି ଏବେ ରାଜ୍ୟରେ ସରକାର ଗଠନ କରିବାକୁ ପ୍ରକ୍ରିୟା ଆରମ୍ଭ କରି ଦେଇଛି। ଆଜି ଦଳର ନବ ନିର୍ବାଚିତ ସମସ୍ତ ୧୫୬ ବିଧାୟକ ସର୍ବସମ୍ମତିକ୍ରମେ ଭୂପେନ୍ଦ୍ର ପଟେଲଙ୍କୁ ନିଜର ନେତା ଭାବେ ଚୟନ କରିଛନ୍ତି। ଏହାପରେ ଭୂପେନ୍ଦ୍ର ପଟେଲ ବିଜେପି ବିଧାୟକ ଦଳ ନେତା ହୋଇଛନ୍ତି। ବିଧାୟକ ଦଳ ନେତା ହୋଇଥିବାରୁ ସେ ହିଁ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତେବେ ଗୁରୁବାର ବିଜେପିର ରେକର୍ଡ ବିଜୟ ପରେ ଶ୍ରୀ ପଟେଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ସରକାର ଗଠନ ପାଇଁ ଦାବି ଜଣାଇଥିଲେ।

ଏହାପରେ ଆଜି ବିଧାୟକ ଦଳ ବୈଠକ ବସି ଶ୍ରୀ ପଟେଲଙ୍କୁ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି। ଆସନ୍ତା ୧୨ ତାରିଖ ଦିନ ୨ଟା ବେଳେ ଶ୍ରୀ ପଟେଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଆଜି ବିଧାୟକ ଦଳ ବୈଠକରେ କାନୁ ଦେଶାଇ ପ୍ରଥମେ ଶ୍ରୀ ପଟେଲଙ୍କ ନାଁ ଆଗତ କରିଥିଲେ। ଏହାକୁ ସମସ୍ତ ବିଧାୟକ ସମର୍ଥନ କରିଛନ୍ତି। ଏହି ବୈଠକରେ ଦଳର ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ନେତା ରାଜନାଥ ସିଂହ, ବିଏସ୍‌ ୟେଦ୍ୟୁରପ୍ପା ଓ ଅର୍ଜୁନ ମୁଣ୍ଡା ଉପସ୍ଥିତ ରହିଥିଲେ।

ଗତବର୍ଷ ସେପ୍ଟେମ୍ବର ମାସରେ ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା। ଚଳିତ ବିଧାନସଭା ନିର୍ବାଚନ ଦଳ ତାଙ୍କ ନେତୃତ୍ୱରେ ଲଢ଼ିଥିଲା। ଏଥିସହ ରେକର୍ଡ ୧୫୬ ଆସନ ଜିତିଥିଲା। ତେଣୁ ବିଜେପି ହାଇକମାଣ୍ତ ଆଉ ଥରେ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛନ୍ତି।

Related Posts