ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାନୀୟଜଳ ଯୋଗାଣ ନେଇ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହଲାଦ ସିଂହ ପଟେଲ ବଡ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଓଡ଼ିଶାର ୪୦.୫୨ ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ୍ ପାଣି ଯୋଗାଇ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି, ଓଡିଶାରେ ୮୮.୫୭ ଲକ୍ଷ ପରିବାର ଥିବାବେଳେ ୨୦୧୯ ଅଗଷ୍ଟ ସୁଦ୍ଧା ମାତ୍ର ୩.୧୧ ଲକ୍ଷ ପରିବାରକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇଥିଲା। ତେବେ ଚଳିତ ମାସ ସୁଦ୍ଧା ଏହା ୪୩ଲକ୍ଷ ପରିବାରକୁ ଟପିଯାଇଛି।
ସେହିଭଳି ୨୦୨୨-୨୩ ବର୍ଷର ବଜେଟ୍ରେ ଜଳ ଜୀବନ ମିଶନ ପାଇଁ ଅର୍ଥ ଆବଣ୍ଟନ ସଂକ୍ରାନ୍ତରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶା ପାଇଁ ୭୧୩୩.୧୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ଯେଉଁଥିରେ ରାଜ୍ୟ ସରକାରଙ୍କ ଅଂଶ ହେଉଛି ୩୫୨୪.୫୩ କୋଟି। ସେପଟେ ଅବଶିଷ୍ଟ ୩୬୦୮.୬୨ କୋଟି ଟଙ୍କା କେନ୍ଦ୍ର ସରକାର ଯୋଗାଇଦେବେ। ଅବଶିଷ୍ଟ ପରିବାରଗୁଡିକୁ ମିଶନ ଦ୍ୱାରା ଧାର୍ଯ୍ୟ ସମୟସୀମା ୨୦୨୪ ସୁଦ୍ଧା ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।
