ପରିବାରକୁ ଦୁର୍ନୀତି ଅଭିଯୋଗରୁ ବଞ୍ଚାଇବା ପାଇଁ ତେଜସ୍ଵୀ ଯାଦବ ବିଜେପି କୁ ସମର୍ଥନ କରିବାପାଇଁ ପ୍ରସ୍ତାବ ଦେଇଥିଲେ: ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପରିବାରକୁ ଦୁର୍ନୀତି ଅଭିଯୋଗରୁ ବଞ୍ଚାଇବା ପାଇଁ ତେଜସ୍ଵୀ ଯାଦବ ବିଜେପି କୁ ସମର୍ଥନ କରିବାପାଇଁ ପ୍ରସ୍ତାବ ଦେଇଥିଲେ ବୋଲି କହିଛନ୍ତି ବିହାର ବିଜେପି ମୁଖ୍ୟ ତଥା ସାଂସଦ ସଞ୍ଜୟ ଜୟସ୍ବାଲ। ତେବେ ଜୟସ୍ବାଲଙ୍କ ଏହି ମନ୍ତବ୍ୟ ସେତେବେଳେ ଆସିଛି ଯେତେବେଳ ତେଜସ୍ଵୀ ଯାଦବ ଦାବି କରିଛନ୍ତି ଯେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରୟ କିଛିଦିନ ପୂର୍ବରୁ ତାଙ୍କ ଦଳ ଆର.ଜେ.ଡି ରେ ଯୋଗ ଦେବାକୁ ଚାହୁଁଥିଲେ।

ତେଜସ୍ଵୀ ସୋମବାର କହିଥିଲେ ଯେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରୟ କେନ୍ଦ୍ରରେ ମନ୍ତ୍ରୀ ହେବା ପୂର୍ବରୁ ତାଙ୍କୁ ଭେଟି ଆର.ଜେ.ଡିରେ ଯୋଗ ଦେବେ ବୋଲି କହିଥିଲେ। ନିତ୍ୟାନନ୍ଦ ସେତେବେଳେ ବିଜେପି ରେ ତାଙ୍କୁ ଭଲ ଲାଗୁନଥିବା କଥା ତେଜସ୍ଵୀ ଙ୍କୁ କହିଥିଲେ ବୋଲି ସେ ଦାବି କରିଛନ୍ତି। ତେବେ ତେଜସ୍ଵୀ ଙ୍କ ଏହି ମନ୍ତବ୍ୟ ସେତେବେଳେ ଆସିଥିଲା ଯେତେବେଳେ ସେ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଦେଇଥିବା ମୂର୍ତ୍ତି ମନ୍ତବ୍ୟ ଉପରେ ନିତ୍ୟାନନ୍ଦ ରୟ ତାଙ୍କୁ ମିଡିଆରେ ଟାର୍ଗେଟ କରିଥିଲେ।

ତେବେ ତେଜସ୍ଵୀ ଙ୍କ ଏହି ମନ୍ତବ୍ୟ ପରେ ସାମ୍ନାକୁ ଆସିଛନ୍ତି ବିହାର ବିଜେପି ମୁଖ୍ୟ ତଥା ସାଂସଦ ସଞ୍ଜୟ ଜୟସ୍ବାଲ। ଜୟସ୍ବାଲ ଦାବି କରିଛନ୍ତି ଯେ ତେଜସ୍ଵୀ ନିଜ ପରିବାରକୁ ଦୁର୍ନୀତି ଅଭିଯୋଗରୁ ବଞ୍ଚାଇବା ପାଇଁ ବିଜେପିକୁ ସରକାର ଗଠନରେ ସମର୍ଥନ କରିବାକୁ ପ୍ରସ୍ତାବ ଦେଇଥିଲେ। ଜୟସ୍ବାଲ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ସରକାର ତେଜସ୍ଵୀଙ୍କ ପରିବାର ଫସି ରହିଥିବା ଦୁର୍ନୀତି ମାମଲାରେ ବୁଝବଣା କରିବାକୁ ରାଜି ନହେବାରୁ ସେ ନିରାଶ ହୋଇ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରୟଙ୍କ ପ୍ରତି ଏଭଳି ମନ୍ତବ୍ୟ ଦେଇଛନ୍ତି।

ସୂଚନା ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିହାରର ବିରୋଧୀ ଦଳ ନେତା ତେଜସ୍ଵୀ ଯାଦବ ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମୂର୍ତ୍ତି ସହ ତୁଳନା କରିଥିଲେ। ସେବେଠାରୁ ବିହାରରେ ବିଜେପି ଓ ତେଜସ୍ଵୀଙ୍କ ମଧ୍ୟରେ ଏପରି ଆରୋପ ପ୍ରତ୍ୟାରୋପ ଲାଗି ରହିଛି।

Related Posts