ଭୁବନେଶ୍ୱର,୩୦/୫(ସତ୍ୟପାଠ ବ୍ୟୁରୋ): ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଭଉଁରି ନିତି ଚାଲୁଥିବା ବେଳେ ବାଣ ବିସ୍ଫୋରଣ ଘଟି ୪୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ ନାବାଳକ ରହିଥିବା ବେଳେ ୫ ଜଣଙ୍କ ସ୍ଥିତି ଗମ୍ଭୀର ରହିଛି। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ୨୫ଜଣଙ୍କୁ କଟକ ଓ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି।
ତେବେ, ପୁରୀଠାରେ ଜରୁରୀକାଳୀନ ପରିସ୍ଥିତିରେ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବଥିବା ହେତୁ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ସମ୍ଭବପର ହୋଇନଥିଲା। ଫଳରେ, ଉତ୍ତ୍ୟକ୍ତ ଲୋକେ ଡାକ୍ତରଖାନା ପରିସରରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।
ସୂଚନା ଅନୁସାରେ, ରାତି ପ୍ରାୟ ସାଢ଼େ ଦଶଟା ସମୟରେ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରି ନୀତି ଚାଲୁଥିବା ବେଳେ ଦେବୀଘାଟ ପଟ ତୁଠ ନିକଟରେ ବାଣ ଗଦା କରି ଲୋକମାନେ ବାଣ ଫୁଟାଉଥିଲେ। ତେବେ, ଫୁଟିଥିବା ବାଣରୁ କିଛି ଝୁଲ ଆସି ଏହି ବାଣଗଦାରେ ପଡ଼ିଯିବାରୁ ସେଠାରେ ବାଣ ବିସ୍ଫୋରଣ ଘଟିଥିଲା। ପ୍ରାୟ ୫୦ରୁ ଅଧିକ ବାଣ ଫୁଟିଥିଲା। ଯାହାଫଳରେ, ସେଠାରେ ଥିବା ଦେଖଣାହାରୀମାନେ ଗୁରୁତର ହୋଇପଡ଼ିଥିଲେ। ଏହି ବିସ୍ଫୋରଣ ଘଟିବାରୁ ସେଠାରେ ଥିବା ଲୋକମାନେ ମଧ୍ୟ ଏଣେତେଣେ ଦୌଡ଼ିବାରୁ ଅନେକ ଆହତ ହୋଇଥିଲେ। ସେହିପରି ଲୋକମାନେ ଭୟଭୀତ ହୋଇ ନରେନ୍ଦ୍ର ପୁଷ୍କରିଣୀକୁ ମଧ୍ୟ ଡେଇଁପଡ଼ିଥିଲେ। ଜୀବନ ବଞ୍ଚାଇବାକୁ ଯାଇ ଲୋକମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ମଧ୍ୟ ବାଣ ବିସ୍ଫୋରଣରେ ପ୍ରାୟ ୫ ଜଣ ନାବାଳକ ସମେତ ୪୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ।
ତେବେ, ପୋଖରୀରେ କେତେଜଣ ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି। ମାତ୍ର, ରାତି ହୋଇଥିବାରୁ ଏ ନେଇ କୌଣସି ସବିଶେଷ ତଥ୍ୟ ହସ୍ତଗତ ହୋଇପାରିନାହିଁ। ତେବେ, ଖବର ପାଇ ଅଗ୍ନିଶମ ବିଭାଗର ଆଗ୍ନିକ ଓ ଲାଇଫ୍ଗାର୍ଡମାନେ ଘଟଣାସ୍ଥଳରେ ପହଞ୍ଚି ନରେନ୍ଦ୍ର ପୁଷ୍କରିଣୀରୁ କେତେଜଣ ଆହତଙ୍କୁ ଉଦ୍ଧାର କରିଥିଲେ। ସେହିପରି, ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମାତ୍ର, ଡାକ୍ତର ଓ ସେବା ଯୋଗାଣକାରୀଙ୍କ ଅଭାବ ଯୋଗୁଁ ଏଠାରେ ଚିକିତ୍ସା ସେବା ଯୋଗାଇବାରେ ପ୍ରଶାସନ ବିଫଳ ହୋଇଥିଲା। ଲୋକମାନେ ଆମ୍ବୁଲାନ୍ସ ଖୋଜୁଥିଲେ ମଧ୍ୟ ଆବଶ୍ୟକୀୟ ଆମ୍ବୁଲାନ୍ସ ମିଳିନଥିଲା। ଏଭଳି ପରିସ୍ଥିତିରେ ପ୍ରଶାସନ ଓ ପୁଲିସ ପ୍ରଶାସନ ହାତଟେକି ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ତେବେ, ସ୍ଥାନୀୟ ଲୋକମାନେ ସଙ୍କଟାପନ୍ନ ଥିବା ଆହତମାନଙ୍କୁ କଟକକୁ ସ୍ଥାନାନ୍ତର କରାଇଥିଲେ। ଆହତଙ୍କ ମଧ୍ୟରୁ ଅଧିକାଂଶ ଲୋକ ଖଣ୍ଡିଆବନ୍ଧ ଅଞ୍ଚଳର ବୋଲି ଚର୍ଚ୍ଚା ହେଉଛି। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଜିଲ୍ଲାପାଳ, ଏସ୍ପି ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଅବସ୍ଥା ପଚାରି ବୁଝିବା ସହିତ ପରିସ୍ଥିତି ଉପରେ ନଜର ରଖିଛନ୍ତି। ବିନା ଅନୁମତିରେ ୩ ଲକ୍ଷ ଟଙ୍କାର ବାଣ ଗଚ୍ଛିତ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏବଂ ନିଜଆଡ଼ୁ ପୁଲିସ ମାମଲା ରୁଜୁ କରିବ।