ସାଧାରଣ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର; ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳର ଉଦ୍ୟମ

ଭୁବନେଶ୍ୱର,୩୦/୫(ସତ୍ୟପାଠ ବ୍ୟୁରୋ):    ଜୁନ୍ ୧ରେ ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ଏଥିପାଇଁ ଆଜି ସରୁଛି ପ୍ରଚାର । ପ୍ରଚାରର ଶେଷ ଦିନରେ ଜନମତ ନିଜ ଆଡକୁ କରିବାକୁ ଆଜି ଜୋରଦାର ପ୍ରୟାସ କରିବେ ପ୍ରାର୍ଥୀ । ଆଜି ପ୍ରଚାର ସହିତ ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ପ୍ରଚାର କୋଳାହଳ ଉପରେ ବ୍ରେକ ଲାଗିବ । ଓଡ଼ିଶାରେ ବିଜେଡି, ବିଜେପି, କଂଗ୍ରେସ ସମେତ ସମସ୍ତ ପ୍ରମୁଖ ଦଳର ତୁଙ୍ଗ ନେତାମାନେ ମାରାଥନ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଶକ୍ତି ଲଗାଇ ଦେଇଛନ୍ତି ।

ଓଡ଼ିଶାରେ ଏହା ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ। ଚତୁର୍ଥ ପର୍ଯ୍ୟାୟରେ ୬ ଲୋକସଭା ଆସନ ଓ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୪୨ ଆସନରେ ଆସନ୍ତା ୧ ତାରିଖରେ ଭୋଟ ଗ୍ରହଣ ହେବ । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଭୋଟ୍ ଗ୍ରହଣ ହେବ । ସେହିପରି ଦେଶର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ସଂସଦୀୟ ଆସନ ପାଇଁ ମତ ଅଧିକାର ସାବ୍ୟସ୍ତ କରିବେ ଭୋଟର । ଉତ୍ତରପ୍ରଦେଶର ୧୩, ପଞ୍ଜାବର ୧୩, ବିହାରର ୮, ପଶ୍ଚିମବଙ୍ଗ ୯, ଚଣ୍ଡିଗଡ଼ର ଗୋଟିଏ, ଓଡ଼ିଶାର ୬ ଏବଂ ଝାଡଖଣ୍ଡର ୩ଟି ଲୋକସଭା ଆସନରେ ମତଦାନ ହେବ ।

ପ୍ରଚାରର ଶେଷ ଦିନରେ ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ଭଦ୍ରକର ସିମୁଳିଆରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ବିଜେଡି ସୁପ୍ରିମୋ ଆଜି ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିବେ । ଭଦ୍ରକର ଚାନ୍ଦବାଲିରେ ବିଶାଳ ସଭାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ ପଟ୍ଟନାୟକ । ସେହିପରି ବରିଷ୍ଠ ବିଜେପି ନେତା ବିଭିନ୍ନ ସ୍ଥାନରେ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି ।

ଏହି ପର୍ଯ୍ୟାୟରେ ବହୁ ହେଭିୱେଟ୍ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ଏମାନଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ତୃତୀୟ ଥର ପାଇଁ ବାରାଣସୀ ଆସନରେ ନିର୍ବାଚନ ଲଢ଼ୁଛନ୍ତି। କଂଗ୍ରେସ ଏହି ଆସନ‌ରେ ମୋଗଦିଙ୍କ ବିରୋଧରେ ଅଜୟ ରାୟଙ୍କୁ ପ୍ରାର୍ଥୀ କରିଛି। ବିଏସପି ଅଥାର ଜମଲ ଲରିଙ୍କୁ ଟିକେଟ ଦେଇଛି। ଉକ୍ତ ଆସନରେ ୨ ସ୍ବାଧୀନ ପ୍ରାର୍ଥୀଙ୍କ ସମେତ ମୋଟ୍‌ ୭ ଜଣ ପ୍ରାର୍ଥୀ ଅଛନ୍ତି।

Related Posts