ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟବାସୀଙ୍କ ପାଇଁ ଏକ ନୂଆ ସ୍କିମ ଆଣିଛନ୍ତି । ଏହି ଯୋଜନାରେ ସରକାର ଏବେ ତୃତୀୟ ସନ୍ତାନ ପାଇଁ ୩୦ ହଜାର ଟଙ୍କା ଏବଂ ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର ଟଙ୍କା ପ୍ରଦାନ କରିବେ । ପୂର୍ବରୁ ଦ୍ୱିତୀୟ ସନ୍ତାନ ପାଇଁ ୨୫ ହଜାର ଟଙ୍କା ଦେଉଛନ୍ତି ଆନ୍ଧ୍ର ସରକାର । ତେବେ ଆଜି ନରସନ୍ନପେଟାରେ “ସ୍ୱର୍ଣ୍ଣ ଆନ୍ଧ୍ର – ସ୍ୱଚ୍ଛ ଆନ୍ଧ୍ର” କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟର ଜନସଂଖ୍ୟା ହ୍ରାସ ପାଉଥିବାରୁ ଚିନ୍ତା ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ପିଲାମାନଙ୍କୁ ବୋଝ ନୁହେଁ, ଦେଶ ସଂପତ୍ତି ବୋଲି ବିବେଚନା କରାଯାଉ । ଜନସଂଖ୍ୟା ବୃଦ୍ଧିକୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନୂତନ ଘୋଷଣା କରି କହିଛନ୍ତି ଯେ, ପରିବାରଗୁଡ଼ିକୁ ସେମାନଙ୍କର ତୃତୀୟ ସନ୍ତାନର ଜନ୍ମ ପାଇଁ ୩୦ ହଜାର ଏବଂ ଚତୁର୍ଥ ସନ୍ତାନର ଜନ୍ମ ପାଇଁ ୪୦ ହଜାର ଟଙ୍କା ମିଳିବ।

ପୂର୍ବରୁ ମୁଁ ପରିବାର ନିୟୋଜନ ପାଇଁ ବିଭିନ୍ନ ଯୋଜନା ବିଷୟରେ କାମ କରୁଥିଲି, କିନ୍ତୁ ଆଜି ପରିସ୍ଥିତି ବଦଳି ଯାଇଛି । ଏବେ ପିଲାମାନେ ଆମର ସମ୍ପତ୍ତି, ଏବଂ ଆମକୁ ସେମାନଙ୍କ ଭବିଷ୍ୟତ ପାଇଁ କାମ କରିବାକୁ ପଡିବ । ଏହି ଚିନ୍ତାଧାରା ସହିତ ମୁଁ ନୂଆ ନିଷ୍ପତ୍ତି ନେଇଛି ବୋଲି ଚନ୍ଦ୍ରବାବୁ କହିଛନ୍ତି । ସେ ଆହୁରି କହିଛନ୍ତି, ଅନେକ ଦକ୍ଷିଣ ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ହାର ନିରନ୍ତର ଭାବେ କମୁଛି। ଆସନ୍ତା କିଛି ଦଶକରେ ଏହା ଅର୍ଥନୀତି ଓ ଶ୍ରମଶକ୍ତି ଉପରେ ପ୍ରଭାବ ପକାଇପାରେ। ସେଥିପାଇଁ ଏବେଠାରୁ ଜନସଂଖ୍ୟା ସନ୍ତୁଳନ ରକ୍ଷା ପାଇଁ ପ୍ରୋତ୍ସାହନମୂଳକ ନୀତି ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି। ତେବେ ସରକାରଙ୍କ ଏହି ଘୋଷଣା ପରେ ରାଜନୈତିକ ମହଳରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। କେହି ଏହାକୁ ଭବିଷ୍ୟତମୁଖୀ ନିଷ୍ପତ୍ତି ବୋଲି କହୁଥିବା ବେଳେ, କେହି ପୁଣି ଏହାର ଦୀର୍ଘମିଆଦି ପ୍ରଭାବ ନେଇ ପ୍ରଶ୍ନ ଉଠାଇଛନ୍ତି ।